ଇଭିଏମ ଟ୍ୟାମ୍ପରିଂ ପ୍ରସଙ୍ଗ: ନିର୍ବାଚନ କମିଶନ୍ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଇଭିଏମ ଟ୍ୟାମ୍ପରିଂ ଓ ଅନ୍ୟ ନର୍ବାଚନ ସଂସ୍କାର ପ୍ରସଂଗରେ ଆଲୋଚନା ଲାଗି ଆସନ୍ତା ୧୨ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ୍।  ଇଭିଏମ   ଟାମ୍ପରିଂ କରି ହେଉଛି ନା ନାହିଁ ତାହା ଜାଣିବା ଲାଗି କମିଶନ  ଚଳିତ ମାସ ଶେଷ ବେଳକୁ ହ୍ୟାକ୍‌ଥନ ଅୟୋଜନ କରିବେ। ତା’ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱ ରଖୁଛି। ସେପଟେ ଗତକାଲି ଆମ୍ ଆଦମୀ ପାର୍ଟି ପକ୍ଷରୁ ଦିଲ୍ଲୀ ବିଧାନସଭାରେ ଟ୍ୟାମ୍ପରିଂ ଡେମୋକୁ ନିର୍ବାଚନ କମିଶନ ଅଗ୍ରାହ୍ୟ କରିଦେଇଛନ୍ତି ।

ଡେମୋ ପାଇଁ ବ୍ୟହହୃତ ମେସିନ କମିଶନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ମେସିନ୍ ନୁହେଁ ଏବଂ କୌଣସି ଏକ ମେସିନ୍ ନେଇ ଏହାକୁ ଟ୍ୟାମ୍ପରିଂ କରିବାରେ କୌଣସି ବାହାଦୁରୀ ନାହିଁ ବୋଲି କମିଶନ କହିଛନ୍ତି । ତେବେ କମିଶନଙ୍କ ଦ୍ୱାରା ବ୍ୟବହୃତ ମେସିନ୍ ଏକ ନିର୍ଦ୍ଦିଷ୍ଟ ସୁରକ୍ଷା ପ୍ରଣାଳୀରେ ନିର୍ମିତ ଏବଂ ଏହାର ଟ୍ୟାମ୍ପରିଂ କରିବା ସହଜ ନୁହେଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ହ୍ୟାକ୍‌ଥନରେ ଭାଗ ନେଇ ଇଭିଏମ  ଟ୍ୟାମ୍ପରିଂ କରିବା ଲାଗି କମିଶନ ଆହ୍ୱାନ ଦେଇଛନ୍ତି।