ନିର୍ବାଚନ କମିଶନଙ୍କ ଚାଲେଞ୍ଜ: ଜୁନ୍‌ ୩ରେ ଇଭିଏମ ଟ୍ୟାମ୍ପରିଂ କରିଦେଖାଅ

ନୂଆଦିଲ୍ଲୀ:ଇଭିଏମ ଟ୍ୟାମ୍ପରିଂ କରିଦେଖାଇବାକୁ  ଚାଲେଞ୍ଜ ଦେଇଥିବା ନିର୍ବାଚନ କମିଶନ ତାଙ୍କ କଥାରେ କାଏମ ରହିଛନ୍ତି। ଇଭିଏମ ଟେଷ୍ଟ ପାଇଁ କମିଶନ  ଦିନ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ସେ ଜୁନ୍‌ ୩କୁ ସ୍ଥିର କରିଥିବା ବେଳେ ଏହି ଦିନ ଇଭିଏମକୁ ଟ୍ୟାମ୍ପରିଂ କରି ଦେଖାଇବାକୁ ସେ ଆହ୍ୱାନ ଦେଇଛନ୍ତି।  ଅର୍ଥାତ ସେହିଦିନ ଇଭିଏମ ଟ୍ୟାମ୍ପରିଂ ହୋଇପାରୁଥିବା ନେଇ ରାଜନୈତିକ ଦଳ ଗୁଡ଼ିକ ପ୍ରମାଣିତ କରିବେ।  ଶନିବାର  ନିର୍ବାଚନ କମିଶନର ନଜିମ ଜ୍ୟାଦି ଏମିତି କିଛି ଚେତାବନୀ ଦେଇଛନ୍ତି।  ଏଥିରେ ସେ କିଛି ସର୍ତ୍ତ ରଖିଛନ୍ତି । ସର୍ତ୍ତ ଅନୁଯାୟୀ ସବୁ ଜାତୀୟ ଏବଂ ରାଜନୈତିକ ଦଳରୁ ୩ ଜଣ ପ୍ରତିନିଧି ଘଟଣାଦିନ ଉପସ୍ଥିତ ରହିବେ। ଆଉ ସେମାନେ ଇଭିଏମ ଟେଷ୍ଟରେ ସାମିଲ ହେବେ।

ସେ କହିଛନ୍ତି ଜୁନ୍‌ ୩ରେ  ହେବାକୁ ଥିବା ଇଭିଏମ ଟେଷ୍ଟରେ ଯେଉଁ ରାଜନୈତିକ ଦଳମାନେ ସାମିଲ ହେବାକୁ ଚାହୁଁଛନ୍ତି ସେମାନେ ମେ’ ୨୬  ସନ୍ଧ୍ୟା ୫ଟା ସୁଦ୍ଧା ଜଣାଇବା ଦରକାର।  ସୂଚନା ଅନୁଯାୟୀ, ନିକଟରେ ଉତ୍ତରପ୍ରଦେଶ ସମେତ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ବିପୁଳ ଜନସମର୍ଥନ ମିଳଥିଲା।  ଏନେଇ ବିରୋଧୀଙ୍କ ପକ୍ଷରୁ  ଇଭିଏମ ଟ୍ୟାମ୍ପରିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ମୁଖ୍ୟତଃ କଂଗ୍ରେସ, ବିଏସପି, ଆପ୍‌ ଏବଂ ତୃଣମୂଳ କଂଗ୍ରେସ ପକ୍ଷରୁ ଏଭଳି  ଅଭିଯୋଗ ଅଣାଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ତୁମ୍ବି ତୋଫାନ ହୋଇଥିଲା। ଏହା ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏଥିରେ ସେ ଇଭିଏମକୁ ଟ୍ୟାମ୍ପରିଂ କରିବା ପାଇଁ ଖୋଲା ଚାଲେଞ୍ଜ ଦେଇଥିଲେ। ଏଥିପାଇଁ କମିଶନ ଜୁନ୍‌ ୩କୁ ତାରିଖ ଧାର୍ଯ୍ୟ କରିଛନ୍ତି।