କାଲି ଥିଲେ ବିରୋଧୀ ଦଳ ନେତା, ଆଜି ହେଲେ ମନ୍ତ୍ରୀ

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନିଜ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ। ଆଜି ୧୩ ଜଣ ବିଧାୟକ ବିଜେପି-ଶିବସେନା ମେଣ୍ଟ ସରକାରରେ ମନ୍ତ୍ରୀ ହୋଇଛନ୍ତି। ଯେଉଁଥିରେ ସାମିଲ ଅଛନ୍ତି ମାସେ ତଳେ ବିରୋଧୀ ଦଳ ପଦବୀରୁ ଇସ୍ତଫା ଦେଇଥିବା କଂଗ୍ରେସ ନେତା ରାଧାକ୍ରିଷ୍ନନ ପାଟିଲ। ଆଜି ରାଜ୍ୟପାଳ ସିଭି ରାଓ ରାଜଭବନରେ ଏ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି। ଏହି ସମ୍ପ୍ରସାରଣ ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଛଅ ଜଣ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି।

ରାଧାକ୍ରିଷ୍ଣନ ମହାରାଷ୍ଟ୍ରର ଜଣେ ଜଣାଶୁଣା ଚେହେରା। ବିଜେପିରେ ସାମିଲ ହେଲେ କ୍ୟାବିନେଟ ମନ୍ତ୍ରୀ ହେବେ ବୋଲି ପ୍ରତିଶ୍ରୁତି ପାଇବା ପରେ ରାଧାକ୍ରିଷ୍ଣନ କଂଗ୍ରେସ ଛାଡ଼ିଥିଲେ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ପରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାକୁ ସେ ଠିକ ଢଙ୍ଗରେ ତୁଲାଇବେ। ସେ କହିଛନ୍ତି ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ବିଜେପି ଜିତିବାର ଅର୍ଥ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ପ୍ରତି ଲୋକଙ୍କ ଆସ୍ଥା ରହିଛି। ବିରୋଧୀ ଦଳ ନେତା ଭାବରେ ସେ ଅନେକ ପ୍ରସଙ୍ଗ ଉଠାଇଛନ୍ତି ଏବଂ ସରକାର ସେଗୁଡ଼ିକୁ ସମାଧାନ କରିଛନ୍ତି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ମହାରାଷ୍ଟ୍ର ପାଇଁ ପାଣି ଏକ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଶ୍ରୀ ପାଟିଲ କହିଛନ୍ତି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ ରାଧାକ୍ରିଷ୍ଣନଙ୍କ ପୁଅ ସୁର୍ଯ ଭିଖେ ପାଟିଲ ବିଜେପିରୁ ଅହମଦନଗରର ସାଂସଦ ପ୍ରାର୍ଥୀ ହୋଇ ବିଜୟୀ ହୋଇଛନ୍ତି।