ଆସନ୍ତାକାଲି ମୋଦି ମନ୍ତ୍ରିମଣ୍ଡଳର ତୃତୀୟ ସମ୍ପ୍ରସାରଣ: ଦିନ ସାଢ଼େ ୧୦ଟାରେ ରାଷ୍ଟ୍ରପତି ଭବନରେ ଶପଥ ପାଠ

ଭୁବନେଶ୍ୱର (ଓଡ଼ିଶା ରପୋର୍ଟର): ଆସନ୍ତାକାଲି ହେବ ମୋଦି ମନ୍ତ୍ରିମଣ୍ଡଳର ବହୁ ପ୍ରତୀକ୍ଷିତ ତୃତୀୟ ସମ୍ପ୍ରସାରଣ। ଦିନ ସାଢ଼େ ୧୦ଟାରେ ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଯିବ। କ୍ୟାବିନେଟରେ ୧୨ରୁ ଅଧିକ ମନ୍ତ୍ରୀଙ୍କୁ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀଙ୍କ ଶପଥଗ୍ରହଣ କାର୍ଯ୍ୟକ୍ରମ ରହିଛି। ମୋଦି ମନ୍ତ୍ରିମଣ୍ଡଳର ତୃତୀୟ ଅଦଳବଦଳକୁ ନେଇ କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ସମ୍ଭାବ୍ୟ ମନ୍ତ୍ରୀଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବର୍ତ୍ତମାନ ୭୩ ଜଣ ସଦସ୍ୟ ଥିବା ବେଳେ ଏଥିରୁ ୮ ଜଣଙ୍କୁ ବାଦ୍ ଦିଆଯାଇପାରେ ବୋଲି କୁହାଯାଉଛି। ସରକାରରେ ସର୍ବାଧିକ ୮୧ ଜଣ ମନ୍ତ୍ରୀ ରହିପାରିବେ। ତେଣୁ ପାଖାପାଖି ୧୫ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବା ସମ୍ଭାବନା ରହିଛି। ନିକଟରେ ଏନ୍‌ଡିଏକୁ ଫେରିଥିବା ଜେଡିୟୁକୁ କ୍ୟାବିନେଟରେ ପ୍ରତିନିଧିତ୍ୱ ମିଳିବ ବୋଲି କୁହାଯାଉଥିଲା। ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାକୁ ଖଣ୍ଡନ କରିଛନ୍ତି। ସେହିପରି AIADMK ସରକାରରେ ସାମିଲ ହେବାକୁ ନେଇ ସସ୍ପେନ୍ସ ଜାରି ରହିଛି।
ମନ୍ତ୍ରୀ ତାଲିକାରେ ଯେଉଁମାନଙ୍କ ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସେମାନେ ହେଲେ ମହାରାଷ୍ଟ୍ରରୁ ବିନୟ ସହସ୍ରବୁଦ୍ଧେ, ଉତ୍ତରପ୍ରଦେଶରୁ ସତ୍ୟପାଲ ସିଂହ ଓ ହରିଶ ଦ୍ୱିବେଦୀ, କର୍ଣ୍ଣାଟକରୁ ପ୍ରହ୍ଲାଦ ଯୋଶୀ, ସୁରେଶ ଅଙ୍ଗାଡି ଏବଂ ଶୋଭା କରାନ୍ଦଲାଜେ, ମଧ୍ୟପ୍ରଦେଶରୁ ପ୍ରଭାତ ଝା, ରାକେଶ ସିଂ ଏବଂ ପ୍ରହ୍ଲାଦ ପଟେଲ, ବିହାରରୁ ଅଶ୍ୱିନୀ ଚୋବେ ଏବଂ ଦିଲ୍ଲୀରୁ ମହେଶ ଗିରି ପିୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ଏବଂ ମନୋଜ ସିହ୍ନାଙ୍କ ଭଳି ରାଷ୍ଟ୍ରମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ମିଳିବ ବୋଲି ଚର୍ଚ୍ଚା ହେଉଛି। ଏଣେ ମୋଦି କ୍ୟାବିନେଟରୁ ପ୍ରାୟ ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି। ସେପଟେ ବୟସାଧିକ ଯୋଗୁଁ ନୁହଁ ନିଜ ଇଚ୍ଛାରେ ଇସ୍ତଫା ଦେଇଥିବା କହିଛନ୍ତି କଳରାଜ ମିଶ୍ର। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହା ନୂଆ କ୍ୟାବିନେଟର ରୂପରେଖ ଏକପ୍ରକାର ଚୂଡାନ୍ତ କରିସାରିଥିବା କୁହାଯାଉଛି।