ବଢ଼ିଲା ସେନ୍‌ଗାରଙ୍କ ଅଡ଼ୁଆ, ଲାଗିଲା ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିଥିବାର ଚାର୍ଜ

ନୂଆଦିଲ୍ଲୀ: ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଉତ୍ତରପ୍ରଦେଶର ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସେନ୍‌ଗାରଙ୍କ ନାମରେ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିଥିବାର ଚାର୍ଜ ଲାଗିଛି। ଦିଲ୍ଲୀର ଏକ କୋର୍ଟ ତାଙ୍କ ନାମରେ ଏବଂ ତାଙ୍କ ଭାଇ ତଥା ଏହି ମାମଲାର ସହ ଅଭିଯୁକ୍ତ ଅତୁଲ ସେନ୍‌ଗାରଙ୍କ ବିରୋଧରେ ଚାର୍ଜ ଫ୍ରେମ୍‌ କରିଛନ୍ତି। ଏହି କେସ୍‌ ସହି ଜଡ଼ିତ ୩ ଜଣ ପୁଲିସ୍‌ କର୍ମଚାରୀଙ୍କ ନାମରେ ମଧ୍ୟ ହତ୍ୟା ଅପରାଧର ଚାର୍ଜ ଲାଗିଛି। କିନ୍ତୁ ବିଧାୟକ ସେନ୍‌ଗାର ଏହି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।

ଗତ ମାସରେ ପୀଡ଼ିତା କାର ଯୋଗେ ରାଏବରେଲୀ ଯାଉଥିବା ସମୟରେ ଏକ ଦୁର୍ଘଟଣା ହୋଇଥିଲା। ଏଥିରେ ତାଙ୍କର ୨ ଜଣ ସମ୍ପର୍କୀୟଙ୍କର ମୃତ୍ୟୁ ହୋଇଥିଲା ଏବଂ ସେ ଓ ତାଙ୍କ ଓକିଲ ଏବେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଡାକ୍ତର କହିଛନ୍ତି ଦୁହେଁ ଗୁରୁତର ଭାବେ ଆହତ ହୋଇଛନ୍ତି।

ବିଚାରପତି ଆଜି କହିଥିଲେ, କୁଲଦୀପ୍‌ ସେନ୍‌ଗାର ଏବଂ ଅନ୍ୟମାନଙ୍କ ନାମରେ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା କରିଥିବାର ଚାର୍ଜ ଲାଗୁ କରାଯାଇଛି। ପୀଡ଼ିତାଙ୍କ ବାପାଙ୍କ ନାମରେ ଆର୍ମସ୍‌ ଆକ୍ଟ ଅଧୀନରେ ଦୋଷୀ ସଜାଇବା ପାଇଁ ଏକ ଦେଶୀ ବନ୍ଧୁକ ରଖିଦେଇ ତାଙ୍କୁ ଫସାଯାଇଥିଲା। ପୁଲିସ୍‌ ଷ୍ଟେସନ୍‌ରେ ତାଙ୍କୁ ଭୀଷଣ ମାଡ଼ ମଧ୍ୟ ମରାଯାଇଥିଲା।