ରେପୋ ରେଟ୍, ରିଭର୍ସ ରେପୋ ରେଟ୍ କ’ଣ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର.ବି.ଆଇ) ପ୍ରତି ଦୁଇ ମାସରେ ଥରେ ଏହାର ମୁଦ୍ରାନୀତି ସମୀକ୍ଷା ବୈଠକ କରିଥାଏ। ସେଥିରେ ସୁଧହାର, ବୈଧାନିକ ଜମାରାଶି, ନଗଦ ଜମାରାଶି ଭଳି କେତେକ ପାଣ୍ଠିର ପରିମାଣ ବା ପ୍ରତିଶତ କେତେ ରହିବ, ତାହା ନିର୍ଦ୍ଧାରଣ କରାଯାଏ।

ଆପଣ ଅନେକ ସମୟରେ ରେପୋ ରେଟ୍, ରିଭର୍ସ ରେପୋ ରେଟ୍, କ୍ୟାଶ ରିଜର୍ଭ ରେସିଓ(ସି.ଆର.ଆର୍), ଷ୍ଟାଚ୍ୟୁଟରି ଲିକ୍ୱିଡିଟି ରେସିଓ(ଏସ୍.ଏଲ୍.ଆର୍.) ଭଳି କେତୋଟି ବ୍ୟାଙ୍କ ସମ୍ବନ୍ଧୀୟ ଟର୍ମ ଶୁଣିଥିବେ। ସେହିପରି ରେପୋ ରେଟ୍ ହ୍ରାସ ହେବା ବା ବୃଦ୍ଧି ହେବା ଶୁଣିଥିବେ। ଏହାର ପ୍ରକୃତ ଅର୍ଥ କ’ଣ ଏବଂ ଏହା ଆପଣଙ୍କ ଆର୍ଥିକ ଜୀବନକୁ କିପରି ପ୍ରଭାବିତ କରିଥାଏ ଜାଣିଛନ୍ତି କି ?
ଯଦି ଜାଣି ନାହାନ୍ତି, ପଢନ୍ତୁ :

୧- ରେପୋ ରେଟ୍

ଭାରତରେ ବ୍ୟାଙ୍କଗୁଡ଼ିକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର.ବି.ଆଇ.) ଏବଂ ଆଉ ବାକି ଯେତେ ସବୁ ବ୍ୟାଙ୍କ ରହିଲେ ତାହା ବାଣିଜ୍ୟିକ ବ୍ୟାଙ୍କ ବା କମର୍ସିଆଲ୍ ବ୍ୟାଙ୍କ। ସାଧାରଣ ଲୋକଙ୍କର ଆର୍.ବି.ଆଇ. ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ କହିଲେ ଚଳେ। କାରଣ ଆମେ ଟଙ୍କା ଜମା କରିବା, ଉଠାଇବା ବା କୌଣସି ବ୍ୟାଙ୍କିଙ୍ଗ କାରବାର କରିବା ପାଇଁ ଆର୍.ବି.ଆଇ. ଯାଉନାହେଁ। ଆମେ ଏସ୍.ବି.ଆଇ., ପିଏନବି, କାନାରା, ଆକ୍ସିସ୍, ଆଇସିଆଇସିଆଇ ଭଳି କେତୋଟି ବ୍ୟାଙ୍କକୁ ଯାଉଛେ। ଯେଉଁଥିରେ କି ଆମେ ଆକାଉଣ୍ଟ ଖୋଲିଛେ।

ଆମର ଜରୁରୀ ହେଲେ ଯେମିତି କମର୍ସିଆଲ୍ ବ୍ୟାଙ୍କରୁ ଋଣ କରୁଛେ, ଆଉ ସୁଧ ଦେଉଛେ ଠିକ୍ ସେମିତି କମର୍ସିଆଲ୍ ବ୍ୟାଙ୍କଗୁଡ଼ିକର ଆବଶ୍ୟକତା ଉପୁଜିଲେ ସେମାନେ ମଧ୍ୟ ଋଣ କରନ୍ତି। ଆଉ ସେମାନଙ୍କୁ ଆର୍.ବି.ଆଇ. ଋଣ ଦିଏ। ଏହା ବଦଳରେ ଆର୍.ବି.ଆଇ. ଯେଉଁ ସୁଧ ନିଏ ତାହାକୁ ରେପୋ ରେଟ୍ ବା ରିପ୍ରଡକ୍ଟିଭ୍ ରେଟ୍ ବୋଲି କୁହାଯାଏ। ଆରବିଆଇ ସବୁ ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କଗୁଡ଼ିକୁ ସାହାଯ୍ୟ କରୁଥିବାରୁ ଏହାକୁ ଲେଣ୍ଡର ଅଫ୍ ଦି ଲାଷ୍ଟ ରିଜର୍ଟ ବୋଲି କୁହାଯାଏ।

୨- ରିଭର୍ସ ରେପୋ ରେଟ୍

ଆପଣ ଜାଣିଲେ ହୁଏତ ଆଶ୍ଚର୍ଯ୍ୟ ହେବେ ଯେ, ଆରବିଆଇ ଟଙ୍କା ଛାପୁଥିବାରୁ ତାହାର ଏକ ବୈଶିଷ୍ଟ୍ୟ ରହିଛି ଯାହାକୁ ଇଂରାଜୀରେ “ମନୋପଲି ଅଫ୍ ନୋଟ୍ ଇସୁ” ବୋଲି କୁହାଯାଏ। କିନ୍ତୁ ଜରୁରୀ ସମୟରେ ଆରବିଆଇ ମଧ୍ୟ କମର୍ସିଆଲ୍ ବ୍ୟାଙ୍କଗୁଡ଼ିକଠାରୁ ଋଣ କରେ। ଆଉ ସେଥିପାଇଁ ଆରବିଆଇ ସେମାନଙ୍କୁ ସୁଧ ମଧ୍ୟ ଦିଏ। ଯେଉଁ ହାରରେ ଆରବିଆଇ ସୁଧ ଦିଏ ତାହାକୁ ରିଭର୍ସ ରେପୋ ରେଟ କୁହାଯାଏ।

୩-କ୍ୟାଶ ରିଜର୍ଭ ରେସିଓ (ସିଆରଆର)

ଯଦି କୌଣସି ସଂସ୍ଥା ଭାରତରେ ବ୍ୟାଙ୍କ ପ୍ରତିଷ୍ଠାନଟିଏ ଆରମ୍ଭ କରିବାକୁ ଆବେଦନ କରେ ତେବେ ତାହାକୁ ନିଜ ସମୁଦାୟ ମୂଳ ପୁଞ୍ଜିର କିଛି ଅଂଶ ଆରବିଆଇ ପାଖରେ ଜମା ରଖିବାକୁ ପଡ଼ିଥାଏ। ସେଇ ସଂସ୍ଥା ଯେତିକି ଟଙ୍କାରେ କାରବାର ଆରମ୍ଭ କରିବ ତାହାର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଆରବିଆଇ ପାଖରେ ଜମା ରଖିବାକୁ ପଡ଼ିବ। ନଚେତ ତା’କୁ ଚାଲିବାକୁ ଅନୁମତି ମିଳିବ ନାହିଁ। ଏହାକୁ କ୍ୟାଶ ରିଜର୍ଭ ରେସିଓ(ସିଆରଆର) କୁହାଯାଏ।

୪- ଷ୍ଟାଚ୍ୟୁଟରି ଲିକ୍ୟୁଡିଟି ରେସିଓ(ଏସଏଲଆର)

ଏହାକୁ ବୈଧାନିକ ଜମା ରାଶି ବୋଲି କୁହାଯାଏ। ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଋଣ ଦେବାକୁ ହେଲେ ଆରବିଆଇ ପାଖରେ କିଛି ଅର୍ଥ ରାଶି ନଗଦ ଆକାରରେ ରଖିବାକୁ ହୋଇଥାଏ। ତାହା ଟଙ୍କା, ସୁନା ବା ଅନ୍ୟ କୌଣସି ପ୍ରକାରର ସିକ୍ୟୁରିଟି ବା ବଣ୍ଡ୍ ଆକାରରେ।

ପ୍ରତି ମୁଦ୍ରାନୀତି ସମୀକ୍ଷା ବୈଠକରେ ଆରବିଆଇ ଏହି ଚାରୋଟିରେ ପରିବର୍ତ୍ତନ କରାଯିବ ନା ନାହିଁ, ତାହା ବିଚାର କରିଥାଏ।