‘ଫେସ୍‌ବୁକ୍ ଜରିଆରେ ହେଉଥିବା ବାହାଘର ନିଶ୍ଚିତ ଭାଙ୍ଗିବ’

ଅହମଦାବାଦ: ଫେସ୍‌ବୁକ୍‌ ଜରିଆରେ ହେଉଥିବା ବିବାହ ଭାଙ୍ଗିବ ହିଁ ଭାଙ୍ଗିବ। ଏହା ନିଶ୍ଚିତ। ଗୁଜରାଟ ହାଇକୋର୍ଟର ବିଚାରପତି ଜେ.ବି ପର୍ଦିୱାଲା କହିଛନ୍ତି ଏ କଥା। ଗତ ୨୪ ତାରିଖରେ ଘରୋଇ ହିଂସାକୁ ନେଇ ଏକ ମାମଲାର ଶୁଣାଣି କରିବା ବେଳେ ସେ ଏହି କଥା କହିଥିଲେ। ରାଜକୋଟର ଫ୍ୟାନ୍‌ସି ଶାହା ତାଙ୍କ ସ୍ୱାମୀ ଜୟଦୀପ ଓ ଶାଶୂଶ୍ୱଶୁରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରିଥିଲେ।

ଉକ୍ତ ମାମଲାର ଶୁଣାଣି କରି ବିଚାରପତି କହିଥିଲେ,“ଫେସ୍‌ବୁକ୍‌ ମାଧ୍ୟମରେ ହେଉଥିବା ଅତ୍ୟାଧୁନିକ ବିବାହ ମଧ୍ୟରୁ ଏଇଟି ଗୋଟିଏ। ଏହା ବିଫଳ ହେବା ନିଶ୍ଚିତ। ଏମାନେ ବାହା ହେବାର ଦୁଇ ମାସ ପରେ ସେମାନଙ୍କ ମଧ୍ୟରେ ସମସ୍ୟା ଦେଖାଗଲା। ଉଭୟ ପକ୍ଷ ବସି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାହା ବିଫଳ ହୋଇଥିଲା।”ଏହା ସହିତ ବିଚାରପତି ଉକ୍ତ ଦମ୍ପତିଙ୍କୁ ବିବାହ ସଂପର୍କ ଭାଙ୍ଗି ଦେବାକୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ, ଏହି ଦମ୍ପତିଙ୍କ ସାକ୍ଷାତ ପ୍ରଥମେ ଫେସ୍‌ବୁକ୍‌ରେ ହୋଇଥିଲେ। ୨୦୧୧ରେ ଜୟଦୀପ ଫେସ୍‌ବୁକ୍‌ରେ ଫ୍ୟାନ୍ସିଙ୍କୁ ଦେଖିଥିଲେ। ସେତେବେଳେ ସେ ଇଞ୍ଜିନିୟରିଂ ଛାତ୍ର ଥିଲେ। ଫେସ୍‌ବୁକ୍‌ରେ ଫ୍ୟାନ୍ସିଙ୍କୁ ଦେଖିବା ପରେ ସେ ସଂପର୍କକୁ ଆଗକୁ ବଢ଼ାଇଥିଲେ। ୨୦୧୫ରେ ଉଭୟେ ପରିବାର ଲୋକଙ୍କୁ ଅନୁମତି ନେଇ ବିବାହ କରିଥିଲେ। କିନ୍ତୁ ବିବାହର ମାତ୍ର ଦୁଇ ମାସ ପରେ ଉଭୟଙ୍କ ଭିତରେ ମତାନ୍ତର ଆରମ୍ଭ ହୋଇଯାଇଥିଲା।