ମା’ ନିଭାଉଛନ୍ତି ବାପାର ଭୂମିକା,ପଢ଼ନ୍ତୁ ଜଣେ ସହିଦଙ୍କ ପୁଅର ହୃଦୟର କଥା

ଚଣ୍ଡିଗଡ଼: ସାଧାରଣତଃ କୁହାଯାଏ ଜଣେ ପିଲା ପାଇଁ ତା’ ବାପା ତାର ରୋଲ ମୋଡେଲ୍ ହୋଇଥାଏ। ଏହାସହିତ ବାପା ପିଲାକୁ ବଞ୍ଚିବାର ରାହା ଦେଖାଇଥାଏ। ଆଉ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ଧୈର୍ଯ୍ୟ ରଖିବାକୁ ଶିଖାଇଥାଏ । ପିତା ବର ଗଛ ସଦୃଶ ହୋଇଥିବାରୁ ତା’ ତଳେ ଗଢ଼ି ଉଠେ ତାଙ୍କ ପରିବାର । କିନ୍ତୁ ଯଦି ଅସମୟରେ ପିତାଙ୍କ ହାତ ମୁଣ୍ଡାରୁ ଦୂରେଇ ଗଲେ ପରିବାର ଉପରକୁ ଯେଉଁ ଦୁର୍ଦ୍ଦଶା ମାଡି ଆସେ , ଏହା ବର୍ଣ୍ଣନା କରିବା କଷ୍ଟକର। ଯେଉଁ ବ୍ୟକ୍ତି ଏପରି ପରିସ୍ଥିତି ଦେଇ ଆସିଥିବ ସେ ହିଁ ସେ ଦୁଃଖ ବୁଝି ପାରିବ। ତେବେ ଏପରି କ୍ଷେତ୍ରରେ ପରିବାରକୁ ସମ୍ଭାଳିବାର ଦାୟିତ୍ୱ  ନିଭାଇଥାଏ ମା’।

ଆଜି ପିତୃ ଦିବସ ଉପଲକ୍ଷେ ଆମେ ଆପଣଙ୍କୁ ଏପରି ଏକ ପରିବାର ସମ୍ପର୍କରେ କହିବୁ, ଜାଣିଲେ ମାତ୍ରେ ହୃଦୟରେ ଭରିଯିବ କୋହ।

“ମୋତେ ଯେତତେବେଳେ ୧ ବର୍ଷ ହୋଇଥିଲା। ମୋ’ ବାପା ୧୮ ଜୁନ୍ ୧୯୯୯ ମସିହାରେ ହୋଇଥିବା କାର୍ଗିଲ୍ ଯୁଦ୍ଧରେ ସହିଦ ହୋଇଯାଇଥିଲେ। ଏହାପରେ ମୋ ମାଆ ମୋତେ ଲାଳନ ପାଳନକରି  ବଡ଼ କରିଛି। କେବେ ବି ମୋତେ ମୋ ବାପା ନ ଥିବାର ଅନୁଭବ କରିବାକୁ ଦେଇ ନାହାଁନ୍ତି।  ମା’ ପାଇଁ ଆଜି ମୁଁ ଇଞ୍ଜିନିୟର ପାଠ ପଢୁଛି। ସମସ୍ତଙ୍କ  ଜୀବନରେ ପିତାର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମୋ’ ଜୀବନରେ ପିତାର ସ୍ନେହ ନାହିଁ। ତେବେ ମୋ’ ମାଆ ମୋତେ କେବେ ପିତାର ସ୍ନେହ ଅନୁଭବ କରିବାକୁ ଦେଇ ନାହାନ୍ତି ।” କୋହ ଭରା କଣ୍ଠରେ ଏହା କହିଛନ୍ତି ହରିୟାଣା ସେକ୍ଟର ୧୨ ପଞ୍ଚକୁଳା ନିବାସୀ ଧ୍ରୁବ ଗୁଳୋରିଆ।

ଧ୍ରୁବଙ୍କ ମା’ ପୁନମ  ଗୁଳୋରିଆ କହିଛନ୍ତି,“ ସ୍ୱାମୀ ସହିଦ୍ ହେବାପରେ ସବୁକିଛି ଶେଷ ହୋଇଗଲା ବୋଲି ଭାବିଥିଲି। ପୁଅ ଛୋଟ ଥିବାରୁ ତାକୁ କିପରି ମଣିଷ କରିବି ଜାଣି ପାରୁ ନଥିଲି। ସେହି ସମୟରେ ଭଗବନାନ ମୋତେ ଶକ୍ତି ଦେଇଥିଲେ ।”

ସୌଜନ୍ୟ- ଅମର ଉଜାଲା