ଭିଡ଼ ନିୟନ୍ତ୍ରଣ ପାଇଁ କଶ୍ମୀରରେ ଚାଲିଥିଲା ପେଲେଟ ଗନ୍: ପୁଲିସ୍‌

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଉପତ୍ୟକାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ ଶ୍ରୀନଗର ଓ ଏହାର ଆଖପାଖ ଅଞ୍ଚଳର କିଛି ସ୍ଥାନରେ ଛୋଟ ଧରଣର ହିଂସାକାଣ୍ଡ ଘଟିଥିଲା। ଏହାକୁ ପ୍ରତିହତ କରିବା ପାଇଁ ସୁରକ୍ଷାକର୍ମୀମାନ ପେଲେଟ ଗନ୍‌ ଚଳାଇଥିଲେ। ଏଥିରେ କିଛି ସାଧାରଣ ଲୋକ ଆହତ ହୋଇଥିବା କଥାକୁ ଆଜି ସ୍ୱୀକାର କରିଛନ୍ତି ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ ମୁନୀର ଖାନ୍‌।

ଧାରା ୩୭୦ ଉଚ୍ଛେଦ ହେବା ପରେ ବାରମ୍ବାର ଜମ୍ମୁ-କଶ୍ମୀରେ ହିଂସାକାଣ୍ଡ ଘଟୁଥିବା ଅଭିଯୋଗ ହୋଇଥିଲା। ଏପରି କି କିଛି ବିଦେଶୀ ଖବର କାଗଜ ମଧ୍ୟ ଏ ସମ୍ପର୍କରେ ଖବର ପ୍ରକାଶ କରିଥିଲେ। ହେଲେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏହାକୁ ଖଣ୍ଡନ କରିଥିଲେ। ବିବାଦ ବଢ଼ିବାରୁ ବିରୋଧୀ ଦଳଗୁଡ଼ିକ ମଧ୍ୟ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଥିଲେ।

ଏସବୁ ଭିତରେ ଆଜି ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖ୍ୟ ମୁନୀର ଖାନ୍‌ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ୱିକ୍‌ ଏଣ୍ଡରେ ଯେତେବେଳେ ଶ୍ରୀନଗର ଓ ଏହାର ଆଖପାଖ ଅଞ୍ଚଳରେ ୧୪୪ ଧାରା କୋହଳ କରାଯାଇଥିଲା, ସେତେବେଳେ ଛୋଟ ମୋଟ ହିଂସାକାଣ୍ଡ ଘଟିଥିଲା। କିଛି ଲୋକ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା ପଥା ମାଡ଼ କରିଥିଲେ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପେଲେଟ ଗନ୍‌ର ବ୍ୟବହାର କରାଯାଇଥିଲା। ତେବେ ଏହା ଦ୍ୱାରା କାହାର ବେଶୀ କିଛି କ୍ଷତି ଘଟିନାହିଁ। ଏବେ ସ୍ଥିତି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ ରହିଛି। ପ୍ରଶାସନ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ସାଧାରଣ ଲୋକଙ୍କ ଜୀବନ ଯେମିତି ବିପଦରେ ନ ପଡ଼ିବ, ଆମେ ସେଥିପ୍ରତି ଯତ୍ନବାନ ରହିଛୁ। ଜମ୍ମୁ-କଶ୍ମୀରରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବୁ। ଆସନ୍ତାକାଲି ସ୍ୱାଧୀନତା ଦିବସ ଗ୍ରାଣ୍ଡ ୱେରେ ପାଳନ କରାଯିବ। କଶ୍ମୀରର ଯୁବକମାନେ ଆନନ୍ଦନ ଓ ଉତ୍ସାହର ସହ ଏହାକୁ ପାଳନ କରିବେ ବୋଲି ଆଶା। ପୁଲିସ୍‌ ଅଗଷ୍ଟ ୧୫ ପାଇଁ ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଛି।”

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ରାଜ୍ୟର ପ୍ରିନ୍ସିପାଲ ସେକ୍ରେଟାରୀ ରୋହିତ କାନସାଲ କହିଛନ୍ତି, “ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରୀନଗର ସମେତ ବିଭିନ୍ନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କୋହଳ କରାଯାଇଥିଲା। ଏହାପରେ ପୁଣିଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ସ୍ୱାଧୀନତା ଦିବସ। ତେଣୁ ଏବେଠାରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ପରେଡ୍‌ ପାଇଁ ଅଭ୍ୟାସ ମଧ୍ୟ କରାଯାଇଛି।”