ମୁଁ ମିରଟ୍‌ରୁ ପରିବର୍ତ୍ତନର ବିଗୁଲ୍‌ ବଜାଉଛି: ମୋଦି

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠରେ ଆଜି ପ୍ରଧାନମନ୍ତ୍ରୀ ଏକ ରାଲିକୁ ସମ୍ୱୋଧନ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, “ମୋତେ ମିରଟ୍‌ର ପବିତ୍ର ଭୂମିକୁ ଆସିବାର ସୌଭାଗ୍ୟ ମିଳିଛି। ମିରଟ୍‌ର ମଙ୍ଗଳ ପାଣ୍ଡେ ଇଂରେଜଙ୍କ ବିରୋଧରେ ଲିଢ଼ିଥିଲେ। ୧୮୫୭ କ୍ରାନ୍ତିରେ ମିରଟ୍‌ର ମୁଖ୍ୟ ଯୋଗଦାନ ଥିଲା। ସେତେବେଳେ ଇଂରେଜଙ୍କ କବଳରୁ ମୁକ୍ତି ଲଢ଼େଇ ଚାଲିଥିଲା। ଏବେ ଭ୍ରଷ୍ଟାଚାରରୁ ମୁକ୍ତି ପାଇଁ ଲଢ଼େଇ ଚାଲିଛି।”

ମୋଦି କହିଛନ୍ତି, “୧୮୫୭ର ସ୍ୱତନ୍ତ୍ରତା ସଂଗ୍ରାମର ବିଗୁଲ ମିରଟ୍‌ରୁ ହିଁ ବାଜିଥିଲା ଓ ମୁଁ ମଧ୍ୟ ମିରଟ୍‌ରୁ ପରିବର୍ତ୍ତନର ବିଗୁଲ ବଜାଉଛି। ମା’ ଓ ଭଉଣୀଙ୍କ ଇଜ୍ଜତ୍‌ ଲୁଟୁଥିବା ଓ ତାଙ୍କୁ ଶୋଷଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମୋର ଏହି ଲଢ଼େଇ।”

ସେ ଆହୁରି କହିଛନ୍ତି “ ଏହି ନିର୍ବାଚନ ସ୍କାମ୍‌ ବିପକ୍ଷରେ। ଏହି କ୍ଷେତ୍ରରେ ସ୍କାମ ହେଉଛି ସମାଜବାଦୀ, କଂଗ୍ରେସ, ଅଖିଳେଶ ଏବଂ ମାୟାବତୀ ବିପକ୍ଷରେ ଲଢ଼େଇ। ଯେତେଦିନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ସ୍କାମରୁ ମୁକ୍ତ ହୋଇ ନାହିଁ ସେଦିନ ପର୍ଯ୍ୟନ୍ତ ଏଠାରେ ସୁଖ ଶାନ୍ତି ଆସିବ ନାହିଁ।”