ଅସହ୍ୟ ଗରମ ପାଇଁ ସୂର୍ଯ୍ୟ ଦେବତା ଦାୟୀ: ଥାନାରେ ମାମଲା

ଶାଜାପୁର: କେବେ କୌଣସି ଦେବତାଙ୍କ ଉପରେ କେସ୍‌ ହେବା ଦେଖିଛନ୍ତି କି ? ରିୟଲ ଲାଇଫ୍‌ରେ ତ ଏମିତି ହୋଇ ନଥାଏ। ହେଲେ ରିଲ୍‌ ରାଇଫ୍‌ରେ ହୋଇଛି। ଯଦି ଆପଣ ପରେଶ ରାୱଲଙ୍କ ଅଭିନୀତ ଫିଲ୍ମ ‘OMG’ ଦେଖିଥିବେ ଏକଥା ନିଶ୍ଚିତ ଜାଣିଥିବେ। ବୀମା ଟଙ୍କା ପାଇଁ ପରେଶ ଭଗବାନଙ୍କ ଉପରେ କେସ୍‌ କରିଦିଅନ୍ତି ଓ ଏହାକୁ କୋର୍ଟରେ ଜିତି ମଧ୍ୟ ନିଅନ୍ତି। ହେଲେ ରିୟଲ ଲାଇଫ୍‌ରେ କେବେ କୌଣସି ଭଗବାନଙ୍କ ଉପରେ କେସ୍‌ ହେବା କେହି ଶୁଣିନାହାଁନ୍ତି କି ଦେଖିନାହାଁନ୍ତି। ହେଲେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବାକୁ ଯାଉଛୁ, ଯିଏ ସୂର୍ଯ୍ୟ ଦେବତାଙ୍କ ଉପରେ ମାମଲା ରୁଜୁ କରିଛନ୍ତି। ଅସହ୍ୟ ଗରମ ପାଇଁ ତାଙ୍କୁ ଦାୟୀ କରାଯାଇ ଏହି ମାମଲା ହୋଇଛି। ଯିଏ କେହି ଏହି କେସ୍‌ ବିଷୟରେ ଶୁଣୁଛନ୍ତି, ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ଏବେ ଭାବୁଥିବେ କେଉଁଠି ଓ କିଏ ଏମିତି କେସ୍‌ କରିଦେଇ କାଠଗଡ଼ାକୁ ସୂର୍ଯ୍ୟଦେବତାଙ୍କୁ ନେଇ ଆସିଲେ। ଅନ୍ୟ କେଉଁଠି ନୁହେଁ, ଆମ ଦେଶରେ ହିଁ ଏପରି ମାମଲା ରୁଜୁ କରାଯାଇଛି। ମଧ୍ୟପ୍ରଦେଶର ଶାଜାପୁର ଜିଲ୍ଲାର ଶିବପାଲ ସିଂହ ଏହି ମାମଲା ରୁଜୁ କରିଛନ୍ତି।

ଅସହ୍ୟ ଗରମ ପାଇଁ ଶିବପାଲ ସୂର୍ଯ୍ୟ ଦେବତାଙ୍କୁ ଦାୟୀ କରି ଶାଜାପୁର ଥାନାରେ ମାମଲା ରୁଜୁ କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, “ଗତ ଏକ ସପ୍ତାହ ହେବ ଆକାଶରୁ ବର୍ଷୁଥିବା ନିଆଁ କାରଣରୁ ମୁଁ ମାନସିକ ଓ ଶାରୀରିକ ସ୍ତରରେ କଷ୍ଟ ପାଉଛୁ। ଏଥିପାଇଁ ବ୍ରହ୍ମାଣ୍ଡ ନିବାସୀ ସୂର୍ଯ୍ୟ ଦେବତାଙ୍କୁ ଦୋଷୀ ମାନୁଛି।”

ଶିବପାଲ ଚାହୁଁଛନ୍ତି, ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଭାରତୀୟ ସମ୍ବିଧାନ ଅନୁସାରେ ଆବଶ୍ୟକ ଆଇନ୍‌ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।