ରାଷ୍ଟ୍ରପତି ଭବନର ଆକାଉଣ୍ଟସ୍‌ ବିଭାଗରେ ନିଆଁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ଆକାଉଣ୍ଟସ୍‌ ବିଭାଗରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା। ତେବେ ମାତ୍ର କେଇ ମିନିଟ୍ ମଧ୍ୟରେ ଏହାକୁ ଲିଭାଇ ଦିଆଯାଇଥିଲା। ଏଥିରେ କେହି ଆହତ ହୋଇନାହାନ୍ତି। କେବଳ କିଛି ଆସବାବପତ୍ର ପୋଡ଼ି ଯାଇଥିବା  ଜଣାପଡ଼ିଛି।

ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି ରାଷ୍ଟ୍ରପତି ଭବନର ଆକାଉଣ୍ଟସ୍ ବିଭାଗରେ ନିଆଁ ଲାଗିଥିବା ନେଇ ଆଜି ସକାଳ ୮ଟା ୪୫ ମିନିଟ୍‌ରେ ଆମେ ଫୋନ୍‌ ଯୋଗେ ସୂଚନା ପାଇଲୁ। ୬ଟି ନିଆଁଲିଭା ଗାଡ଼ିକୁ ଘଟଣାସ୍ଥଳକୁ ପଠା ଯାଇଥିଲା। ୧୦ ମିନିଟ୍ ମଧ୍ୟରେ ନିଆଁ ଲିଭା ଯାଇଥିଲା।

ସେ କହିଛନ୍ତି ଗୋଟିଏ ଇନ୍‌ଭର୍ଟର, ଗୋଟିଏ ଚେୟାର ଓ ଗୋଟିଏ ଟେବୁଲ୍ ପୋଡ଼ି ଯାଇଛି। ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

ବଜେଟ୍ ଅଧିବେଶନ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ସଂସଦ ଭବନର ସର୍ଭର ରୁମ୍‌ରେ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଥିଲା।