ମୃତ୍ୟୁ ପୂର୍ବରୁ ମୃତ୍ୟୁର ଜବାନ ବନ୍ଦୀ: ଆଖି ଭିଜାଇଲା ସହିଦଙ୍କ ଫେସ୍‌ବୁକ୍ ପୋଷ୍ଟ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ୬ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସାମିଲ ଥିଲେ ୩୨ ବର୍ଷୀୟ ଫିରୋଜ ଅହମ୍ମଦ ଡାର। ଶୁକ୍ରବାର ଦିନ ତାଙ୍କ ପୈତୃକ ସ୍ଥାନ ଡେଗରୀପୁରରେ ତାଙ୍କୁ କବର ଦିଆଯାଇଥିଲା। ଏହି ଅବସରରେ ତାଙ୍କ ଗାଁ ଲୋକେ ଓ କିଛି ସହ କର୍ମ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ବିଦାୟ ଦେଇଥିଲେ। ତେବେ ଡାର ଫେସ୍‌ବୁକରେ ପୋଷ୍ଟ କରିଥିବା କିଛି ଶଦ୍ଦ ସମସ୍ତଙ୍କ ଆଖିରେ ଭରି ଦେଇଥିଲା ଲୁହ।

ଯେତେବେଳେ ଡାରଙ୍କ ପରିବାର ଓ ତାଙ୍କ ପ୍ରିୟଜନ ତାଙ୍କୁ ଅନ୍ତିମ ଯାତ୍ରା ପାଇଁ ପ୍ରସ୍ତୁତି କରୁଥିଲେ ସେହି ସମୟରେ ସମସ୍ତଙ୍କ ମନେ ପଡ଼ି ଯାଇଥିଲା ୨୦୧୩ ଜାନୁଆରୀ ୧୮ରେ ସେ ଲେଖିଥିବା କିଛି ଶବ୍ଦ। ସେ ଲେଖିଥିଲେ,“ କ’ଣ ଆପଣ ଗୋଟିଏ ମୁହୂର୍ତ୍ତ ଅଟକି ଯାଇ ନିଜକୁ ପ୍ରଶ୍ନ କରିଛନ୍ତି କି ମୋ କବରରେ ପ୍ରଥମ ରାତିରେ ମୋ ସହିତ କ’ଣ ହେବ? ସେହି ମୁହୂର୍ତ୍ତ ବିଷୟରେ ଚିନ୍ତାକରିବେ ଚିନ୍ତା କରିବ ଯେତେବେଳେ ତୁମର ଶବକୁ ଗାଧୋଇ ଦିଆଯିବ ଓ ତୁମ କବର ପ୍ରସ୍ତୁତ କରାଯାଉଥିବ।”

ସେ ଫେସ୍‌ବୁକ୍‌ରେ ଲେଖିଥିଲେ,“ସେହି ଦିନ ବିଷୟରେ ଚିନ୍ତାକର ଯେତେବେଳେ ଲୋକେ ତୁମକୁ ତୁମର କବର ନିକଟକୁ ନେଇଯାଉଥିବେ ଓ ତୁମ ପରିବାର ଲୋକେ କାନ୍ଦୁଥିବେ… ସେହି ମୁହୂର୍ତ୍ତ ସଂପର୍କରେ ଚିନ୍ତାକର ଯେତେବେଳେ ତୁମକୁ କବର ଦିଆଯାଉଥିବ।”