୨ ଟି କଦଳୀକୁ ୪୪୨ ଟଙ୍କାରେ ବିକିଥିବା ହୋଟେଲକୁ ୨୫ ହଜାର ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ରାହୁଲ ବୋଷ ନିକଟରେ ୨ଟି କଦଳୀ ପାଇଁ ୪୪୨ ଟଙ୍କା ଦେଇଥିଲେ। ଏହି ମାମଲାରେ ଚଣ୍ଡିଗଡର ପଞ୍ଚ ତାରକା ହୋଟଲ ଜେଡବ୍ଲ୍ୟୁ ମ୍ୟାରିଅଟ ଉପରେ ୨୫ ହଜାର ଟଙ୍କା ଜୋରିମାନା ଲଗାଯାଇଛି। ଚଣ୍ଡିଗଡର ଅବକାରୀ ଓ କର ବିଭାଗ ଏହି ଜୋରିମାନା ଲଗାଇଛି। ସିଜିଏସଟିର ଧାରା ୧୧ ଉଲ୍ଲଂଘନ କରିଥିବା ଅଭିଯୋଗରେ ହୋଟେଲ ବେଆଇନ ଭାବରେ ଏହି ବିଲ୍ ତିଆରି କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କଦଳୀ ଜିଏସଟି ପରିସରଭୁକ୍ତ ନୁହେଁ। କିନ୍ତୁ ହୋଟେଲ କତ୍ତୃପକ୍ଷ କଦଳୀକୁ ଜିଏସଟି ପରିସରଭୁକ୍ତ କରିଥିଲେ।

ନିକଟରେ ବଲିଉଡ ଅଭିନେତା ରାହୁଲ ବୋଷ ଏକ ଫିଲ୍ମର ଶୁଟିଂ ପାଇଁ ଚଣ୍ଡିଗଡ଼ ଯାଇଥିଲେ। ସେଠାରେ ଥିବା ପଞ୍ଚ ତାରକା ହୋଟେଲରେ ରାହୁଲ ରହିଥିଲେ। ଜିମରେ ଅଭ୍ୟାସ କରିବା ପରେ ସେ ଦୁଇଟି କଦଳୀ ଅର୍ଡର କରିଥିଲେ।

ହେଲେ ୱେଟର ଯେତେବେଳେ ଏହି କଦଳୀ ଦୁଇଟିର ବିଲ୍‌ ଦେଇଥିଲେ, ତା’କୁ ଦେଖି ରାହୁଲ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। କାରଣ ଏହି ଦୁଇଟି କଦଳୀର ମୂଲ୍ୟ ୪୪୨.୫୦ ଟଙ୍କା ରହିଥିଲା। ରାହୁଲ ଏହି ଘଟଣାକୁ ଭିଡିଓ ମେସେଜ୍‌ ଦ୍ୱାରା ସୋଶାଲ ମିଡିଆରେ ଶେୟାର କରିଥିଲେ।

ଏହାପରେ ଚଣ୍ଡିଗଡର ଅବକାରୀ ଏବଂ କର ବିଭାଗ ନିଜ ତରଫରୁ ବିଲର ଯାଞ୍ଚ କରି ଏହି ଜୋରିମାନା ଲଗାଇଥିଲେ।