ବାଟରେ ଓହ୍ଲାଇଲା ବିମାନ: କାରଣ ବିଚିତ୍ର

ୱାଶିଂଟନ୍‌: ମଝି ଆକାଶରେ ଯାତ୍ରୀଙ୍କ ଉନ୍ମତକାଣ୍ଡ। ବିମାନରେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କ ହରକତ ସୀମା ଲଂଘିଛି। ପରିସ୍ଥିତି ଏମିତି ହୋଇଥିଲା ଯେ, ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିବା ବିମାନଟି ଦିଗ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲା। ୱାସରୁମରେ ମଳତ୍ୟାଗ କରିବା ଏବଂ ଯାତ୍ରୀଙ୍କ ଉପରକୁ କାଗଜ ଟୁକୁଡ଼ା ଫୋପାଡ଼ିବାରୁ ଆମେରିକା ଚିକାଗୋରୁ ହଂକଂ ଯାଉଥିବା ଏକ ବିମାନକୁ ଶେଷରେ ଆଲାସ୍କା ବିମାନ ବନ୍ଦରରେ ଅବତରଣ କରିବାକୁ ପଡ଼ିଥିଲା। ସୂଚନା ଅନୁଯାୟୀ ୨୪୫ ଜଣ ଯାତ୍ରୀଙ୍କୁ ନେଇ ୭୪୭ ଫ୍ରେଣ୍ଡସିପ୍‌ ନାମକ ବିମାନ ସିକାଗୋ ରୁ ହଂକଂ ଯାତ୍ରା କରୁଥିଲା। ହେଲେ ଅଧାବାଟରେ ସମ୍ପୃକ୍ତ ଯୁବକ ଜଣକର ପାଗଳାମୀ ବାହାରିଥିଲା।  ଯାତ୍ରୀ ଜଣକ ବିମାନରେ ଥିବା ୱାସ୍‌ରୁମ୍‌ରେ ମଳତ୍ୟାଗ କରିବା

ପରେ ଭଙ୍ଗାରୁଜା କରିଥିଲେ। ସେପଟେ ୱାସରୁମରେ ମଳ ଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାରେ ପଡ଼ିଥିଲେ। ଯାତ୍ରୀମାନେ ହଇରାଣ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କାବୁ କରାଯାଇଥିଲା।  କିନ୍ତୁ ତାଙ୍କ ବିଶୃଙ୍ଖଳା ଆଚରଣରେ କୌଣସି ପରିବର୍ତ୍ତନ ଆସି ନଥିଲା। ତାଙ୍କୁ ପଚରାଉଚରା ବେଳେ ସେ କୌଣସି ଉତ୍ତରଦେଇ ପାରି ନ ଥିଲେ। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ପାଇଁ ନିଷ୍ପତ୍ତି ହୋଇଥିଲା। ଫଳରେ ବିମାନଟିକୁ ଆଲାସ୍କାରେ ଅବତରଣ କରାଯିବା ପରେ ବ୍ୟକ୍ତି ଜଣଙ୍କୁ  ଆଙ୍କୋରେଜ୍‌ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବ୍ୟକ୍ତି ଜଣକର ମସ୍ତିସ୍କ ବିକୃତ ଥିବା ଜଣାପଡ଼ିଥିଲା। ୨୨ ବର୍ଷୀୟ ଏହି ଯୁବକ ଜଣକ ଆମେରିକା ନିବାସୀ ବୋଲି ଜଣା ପଡ଼ିଛି। ଅନ୍ୟପଟେ ବିମାନଟି ହଂକଂ ନ ଯାଇପାରି ଆଲାସ୍କାରେ ଅଟକି ଯାଇଥିଲା। ପରେ ବିମାନଟି ଯାତ୍ରୀଙ୍କୁ ନେଇ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

ସୌଜନ୍ୟ:ହିନ୍ଦୁସ୍ଥାନ ଟାଇମ୍‌ସ