ଜମ୍ମୁ-କାଶ୍ମୀରରେ ବନ୍ୟା: ୩ ମୃତ, ଅମରନାଥ ଯାତ୍ରା ସ୍ଥଗିତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଗତ ୨୭ ତାରିଖରୁ ବର୍ଷା ଲାଗି ରହିଛି। ଯାହାଫଳରେ ଝେଲମ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା କରାଳ ରୂପକୁ ଦେଖି ଅମରନାଥଙ୍କ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଏପରିକି ରାଜ୍ୟ ସରକାର ସତର୍କ ସୂଚନା ଜାରି କରିଛନ୍ତି।

ଦକ୍ଷିଣ କାଶ୍ମୀରର ସଙ୍ଗମ ଓ ଶ୍ରୀନଗରର ରାମ୍‌ ମୁନ୍‌ଶି ବାଗ୍‌ରେ ମଧ୍ୟ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବନ୍ୟାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦,୦୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବନ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଉଛି। ଆଜି ସନ୍ଧ୍ୟାରେ ରାଜ୍ୟପାଳ ଏନ୍‌ଏନ୍‌ ଭୋରା ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ବନ୍ୟା ସ୍ଥିତିର ସମୀକ୍ଷା କରିବାପାଇଁ ଶ୍ରୀନଗରରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଜରୁରୀ ପରିସ୍ଥିତିରେ ସ୍ଥାନାନ୍ତର ପାଇଁ ୨୦ରୁ ଅଧିକ ଆଶ୍ରୟସ୍ଥଳ ବ୍ୟବସ୍ଥା କରାଯାଇଛି। କାଶ୍ମୀର ଉପତ୍ୟକାରେ ସମସ୍ତ ସ୍କୁଲ୍‌ ବନ୍ଦ ରହିଛି।

ଅମରନାଥ ଯାତ୍ରା ସ୍ଥଗିତ

ବନ୍ୟା ପରିସ୍ଥିତି ଯୋଗୁଁ ଅମରନାଥ ଯାତ୍ରାକୁ ବନ୍ଦ ରଖାଯାଇଛି। ଯେଉଁମାନେ ଯାତ୍ରାରେ ଯାଇଛନ୍ତି, ସେମାନଙ୍କୁ ଜମ୍ମୁର ଭଗବତୀ ନଗର ବେସ୍‌ କ୍ୟାମ୍ପରେ ଅଟକା ଯାଇଛି। ବର୍ତ୍ତମାନ ସୁଦ୍ଧା ବାଲଟାଲ୍‌ରେ ୧୧,୦୦୦ ଓ ପହଲଗାମରେ ୫୦୦୦ ତୀର୍ଥ ଯାତ୍ରୀ ଅଟକି ରହିଛନ୍ତି। ପାଗ ବଦଳିବା ପରେ ପୁଣିଥରେ ଯାତ୍ରା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରଥମ ଭାଗରେ ଯାଇଥିବା ୧୩୦୦ ତୀର୍ଘ ଯାତ୍ରୀ ପ୍ରଭୁ ଅମରନାଥଙ୍କୁ ଦର୍ଶନ କରିସାରିଛନ୍ତି।

୬ ରାଜ୍ୟକୁ ସତର୍କ ସୂଚନା ଜାରି

ମୌସୁମୀ ସକ୍ରିୟ ହୋଇଥିବାରୁ ୬ ରାଜ୍ୟକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସେହି ରାଜ୍ୟ ଗୁଡ଼ିକ ହେଲା ଆସାମ, ମେଘାଳୟ, ଅରୁଣାଚଳପ୍ରଦେଶ, ପଶ୍ଚିମବଙ୍ଗ, ସିକ୍କିମ ଓ ଜମ୍ମୁ-କାଶ୍ମୀର। ଆଗାମୀ ୨୪ ଘଣ୍ଟା ଭିତରେ ଏହି ରାଜ୍ୟ ଗୁଡ଼ିକରେ ପ୍ରବଳରୁ ପ୍ରବଳ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶନିବାର ପୂର୍ବ ରାଜସ୍ଥାନ ଓ ଦିଲ୍ଲୀ ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି। କିନ୍ତୁ ପଶ୍ଚିମ ବେଙ୍ଗଲ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପୂର୍ବ ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ମୌସୁମୀ ଦୁର୍ବଳ ହୋଇ ପଡ଼ିଛି। ଏହି ଅଞ୍ଚଳରେ ବେଶୀ ବର୍ଷା ହେବ ନାହିଁ। କିନ୍ତୁ କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି।