ଆଉ ଜଣେ ଗାୟିକାଙ୍କୁ ହତ୍ୟା

ନୂଆଦିଲ୍ଲୀ: ହରିଆଣାରେ ଆଉ ଜଣେ ଗାୟିକାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗାୟିକା ହର୍ଷିତା ଦହିଆଙ୍କ ହତ୍ୟାର ତିନି ମାସ ନ ପୁରୁଣୁ ଲୋକ ଗୀତ ଗାୟିକା ମମତା ଶର୍ମାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି । ୪୫ ବର୍ଷିୟ ମମତା ଶର୍ମାଙ୍କ ମୃତ ଦେହ ରୋହତକ ଜିଲ୍ଲାର ବନିୟାନି ଗାଁରୁ ଉଦ୍ଧାର କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ ମମତାଙ୍କ ବେକକୁ କଟା ଯାଇଥିବା ଜଣାପଡ଼ିଛି।

ମମତାଙ୍କ ପୁଅଙ୍କ କହିବା କଥା ହେଲା, ମମତା ଗତ ରବିବାରଠାରୁ ନିଖୋଜ ଥିଲେ। ସେ ନିଜ ସହକର୍ମୀଙ୍କ ସହ ଏକ ଶୋ ପାଇଁ ଯାଇ ଘରକୁ ଫେରିନଥିଲେ। ସେ ଘରକୁ ନଫେରିବାରୁ ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା। ତେବେ ଆଜି, ସକାଳୁ ତାଙ୍କ ମୃତ ଦେହ ବନିୟାନିର ଏକ ଚାଷ ଜମିରୁ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାରକୁ ଗିରଫ କରାଯାଇନଥିବା ବେଳେ ମାଙ୍କ ହତ୍ୟା ନେଇ ତାଙ୍କ ସହ କର୍ମୀଙ୍କ ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ମମତାଙ୍କ ପୁଅ।  ପୋଲିସ ମାମଲାର ଯାଞ୍ଚ କରୁଥିବା କହିଛି।