ବାଃ ବାଃରେ ଅନ୍‌ଲାଇନ୍ ସପିଂ: ମଗେଇଥିଲେ ଆଇ-ଫୋନ୍, ଆସିଲା ହ୍ୱିଲ୍ ସାବୁନ୍

ମୁମ୍ବାଇ: ଏବେ ଅନ୍‌ଲାଇନ୍‌ ମାର୍କେଟିଂ ଯୁଗ। ଯୁବପିଢ଼ି ନିଜ ପସନ୍ଦର ଜିନିଷ କିଣିବାକୁ ଅନ୍‌ଲାଇନ୍ ମାର୍କେଟ୍‌କୁ ହିଁ ବେଶୀ ପସନ୍ଦ କରୁଛନ୍ତି। ନିଜ ମୋବାଇଲ୍‌ରେ ସେମାନେ ଅନ୍‌ଲା‌ନ୍‌ରେ ଉପଲବ୍ଧ ଥିବା ସବୁ ଜିନିଷ ଦେଖିବା ପରେ ସେଇଠି ହିଁ ଅର୍ଡର ଦେଉଛନ୍ତି। କମ୍ ସମୟରେ, କମ୍ ଟଙ୍କାରେ, ମାର୍କେଟ୍‌କୁ ନଯାଇ ସବୁକିଛି ହାତ ପାଆନ୍ତାରେ ପାଉଛନ୍ତି ସେମାନେ। ତେଣୁ ଏବେ ଅନ୍‌ଲାଇନ୍ ମାର୍କେଟିଂର ଖୁବ୍ ଚାହିଦା। ହେଲେ ବେଳେବେଳେ ଠକାମୀର ଶିକାର ବି ହୋଇପାରନ୍ତି ଆପଣ। ଏହାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ମୁମ୍ବାଇରେ।

ମୁମ୍ବାଇର ଜଣେ ସଫ୍ଟଓୟାର ଇଂଜିନିୟର ୫୫ ହଜାର ଟଙ୍କାର ଏକ ଆଇ-ଫୋନ୍-୮ ଅର୍ଡର ଦେଇଥିଲେ। କିନ୍ତୁ ଅର୍ଡର ଆସିଲା ପରେ ତାକୁ ଖୋଲି ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେଥିରେ ଆଇ-ଫୋନ୍ ବଦଳରେ ଥିଲା ଗୋଟେ ୫ ଟଙ୍କିଆ ହ୍ୱିଲ୍ ଲୁଗାସଫା ସାବୁନ୍। ଫଳରେ ଇଂଜିନିୟର ଜଣକ ଅନ୍‌ଲାଇନ୍‌ କମ୍ପାନୀ ଫ୍ଲିପ୍‌କାର୍ଡ ବିରୋଧରେ ପୋଲିସ୍‌ରେ ମାମଲା ଦରଜ କରିଛନ୍ତି। ଅନ୍‌ଲାଇନ୍‌ ଅର୍ଡର ବେଳେ ହିଁ ସେ ୫୫ ହଜାର ଟଙ୍କା ପେମେଣ୍ଟ କରିଥିଲେ। ପୋଲିସ୍ ମଧ୍ୟ ଫ୍ଲିପ୍‌କାର୍ଟ କମ୍ପାନୀ ବିରୋଧରେ ଏକ ଠକେଇ ମାମଲା ଦାଏର କରିଛି।

Wheel-1
ଆଇ-ଫୋନ୍ ବଦଳରେ ଆସିଛି ଏହି ଲୁଗାଧୁଆ ସାବୁନ୍

ଅନ୍‌ଲାଇନ୍‌ ସପିଂରେ ଚିଟିଂର ଏହା ପ୍ରଥମ ଘଟଣା ନୁହେଁ। ତେଣୁ ପାଠକ ପାଠିକାମାନେ ଏଥିପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ। ଯେତେବେଳେ ଆପଣ ଅନ୍‌ଲାଇନ୍‌ରେ କିଛି ଜିନିଷ ମଗୋଉଛନ୍ତି, ସେତେବେଳେ ଏହି ୭ଟି ବିଷୟ ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

୧. ଅନ୍‌ଲାଇନ୍‌ରେ ଜିନିଷ ମଗେଇଲା ବେଳେ, ଯଦି ‘କ୍ୟାସ୍ ଅନ୍‌ ଡେଲିଭଲି’ ସୁବିଧା ଉପଲବ୍ଧ ଅଛି ତେବେ ସେହି ସୁବିଧା ନିଶ୍ଚୟ ଆପଣାନ୍ତୁ। ସବୁବେଳେ ପ୍ରଥମେ ପେମେଣ୍ଟ ନକରିବାକୁ ଚେଷ୍ଟା କରନ୍ତୁ, ଜିନିଷ ଡେଲିଭରି ପରେ ପେମେଣ୍ଟ ବିପଦମୁକ୍ତ।

୨. ପ୍ୟାକେଟ୍‌ଟି ସବୁବେଳେ ‘ଡେଲିଭରି ବଏ’ (ଯିଏ ଜିନିଷ ଦେବାକୁ ଆସିଥିବେ)ଙ୍କ ସାମ୍ନାରେ ହିଁ ଖୋଲନ୍ତୁ। ଯଦି ଆପଣ ମଗେଇଥିବା ଜିନିଷଟି ପ୍ୟାକେଟ୍‌ରେ ନାହିଁ ବୋଲି ଦେଖିଲେ, ତେବେ ‘ରିସିଭ୍‌ ରସିଦ’ରେ ସଙ୍ଗେ ସଙ୍ଗେ ଡେଲିଭରି ବଏର ଦସ୍ତଖତ ବା ସିଗ୍‌ନେଚର ରଖିଦିଅନ୍ତୁ।

୩. ଏହାପରେ ଯେଉଁ ଅନ୍‌ଲାଇନ୍‌ ୱେବ୍‌ସାଇଟ୍‌ରୁ ଜିନିଷ ଅର୍ଡର କରିଥିଲେ, ତା’ର ଅଫିସିଆର୍ ଇ-ମେଲ୍‌ ଆଇ.ଡି.ରେ ସଙ୍ଗେ ସଙ୍ଗେ ଏକ ମେଲ୍ ଦିଅନ୍ତୁ।

୪. ଜିନିଷ ଅର୍ଡର ଓ ଡେଲିଭଲି ସଂପର୍କିତ ସମସ୍ତ କାଗଜପତ୍ରର ସଫ୍ଟକପି ଓ ହାର୍ଡକପି ସଂଗ୍ରହ କରି ନିଜ ପାଖରେ ରଖନ୍ତୁ।

୫. ଆପଣ ଏ ସଂପର୍କରେ ପୋଲିସ୍‌ରେ ବି କେଶ୍ ଦେଇପାରିବେ। କେଶ୍ ଦେଲାବେଳେ ମନେକରି ଜିନିଷ ଅର୍ଡର ଓ ଡେଲିଭରି ସଂପର୍କିତ ସମସ୍ତ କାଗଜପତ୍ରର ନକଲ (ଅରିଜିନାଲ୍ ନୁହେଁ) ପୋଲିସ୍‌କୁ ନିଶ୍ଚୟ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ କେଶ୍ ଅଧିକ ଶକ୍ତଶାଳୀ ହେବ। ତଦନ୍ତରେ ପୋଲିସ୍‌କୁ ସୁବିଧା ମଧ୍ୟ ହେବ।

୬. ଅନ୍‌ଲାଇନ୍‌ ସପିଂ କରିବା ପୂର୍ବରୁ ୱେବ୍‌ସାଇଟ୍‌ ନକଲି କି ଅସଲି ପରଖି ନିଅନ୍ତୁ। ବେଳେବେଳେ ଜଣାଶୁଣା କମ୍ପାନୀଙ୍କ ନାଁକୁ ଟିକିଏ ସ୍ପେଲିଂ ଏପଟସେପଟ କରି ନକଲି ୱେବ୍‌ସାଇଟ୍ ତିଆରି କରାଯାଉଛି। ତେଣୁ ୱେବ୍‌ସାଇଟ୍‌ର ସ୍ପେଲିଂ ଚେକ୍ କରନ୍ତୁ। ସେହିପରି ୟୁ.ଆର୍‌.ଏଲ୍.ରେ https ଜାଗାରେ କେବଳ http ଲେଖାଥିଲେ ସେଥିରୁ ଅନ୍‌ଲାଇନ୍ ସପିଂ କରନ୍ତୁ ନାହିଁ।

୭. registry.in/WHOISକୁ ଯାଇ ସେଠି କମ୍ପାନୀର ଡୋମେନ୍ କାହା ନାଁରେ ଅଛି ତାହା ଚେକ୍ କରିପାରିବେ। ସପିଂ କରିବା ପୂର୍ବରୁ ୱେବ୍‌ସାଇଟ୍‌ର ନିୟମ କାନୁନ୍ ସଂପର୍କରେ ନିଶ୍ଚୟ ପଢ଼ନ୍ତୁ। ଏକ୍ସଚେଞ୍ଜ ଓ ରିଟର୍ଣ୍ଣ ପଲିସି କ’ଣ ରହିଛି ସେ ବିଷୟରେ ବି ସ୍ପଷ୍ଟ ହୁଅନ୍ତୁ।