ବିରୋଧୀଙ୍କୁ ମୋଦିଙ୍କ ଆହ୍ୱାନ, ସଂଖ୍ୟା ଭୁଲି ଲୋକଙ୍କ ପ୍ରସଙ୍ଗ ଉଠାଅ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ୧୭ତମ ଲୋକସଭାର ପ୍ରଥମ ଅଧିବେଶନ। ସଂସଦକୁ ଯିବା ପୂର୍ବରୁ ମୋଦି ବିରୋଧୀଙ୍କ ଉଦ୍ଦେଶ୍ୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସଂସଦରେ ବିରୋଧୀଙ୍କ ସଂଖ୍ୟା କମ୍ ରହିଲେ ମଧ୍ୟ ଏସବୁ ଭୁଲି ଲୋକଙ୍କ ହିତରେ ଆସୁଥିବା ସମସ୍ତ ପ୍ରସଙ୍ଗ ଉଠାଇବା ସହିତ ସମର୍ଥନ କରିବା ପାଇଁ ବିରୋଧୀ ଦଳର ସାଂସଦଙ୍କୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ।

ସେ ଆହୁରି ମଧ୍ୟ କହିଛନ୍ତି ଚଳିତ ଲୋକସଭାରେ ଅନେକ ନୂଆ ସାଂସଦ ନିର୍ବାଚିତ ହୋଇଆସିଛନ୍ତି। ସେମାନଙ୍କର ଦେଶ ନିର୍ମାଣରେ ଥିବା ଉଦ୍ଦେଶ୍ୟ ଚଳିତ ସଂସଦକୁ ଅଧିକ ମଜୁବତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦୀର୍ଘବର୍ଷ ପରେ ପୁଣି ଥରେ ଏକ ସରକାର ଲଗାତର ଦ୍ୱିତୀୟଥର ପାଇଁ ନିର୍ବାଚିତ ହୋଇ ଆସିଛି। ଯାହାର ସଂଖ୍ୟା ପୂର୍ବ ସରକାର ତୁଳନାରେ ଅଧିକ ରହିଛି। ଏବଂ ସବୁଠୁ ଅଧିକ ମତଦାନ ସହିତ ଅଧିକ ମହିଳା ସାଂସଦ ଚଳିତ ସଂସଦକୁ ନିର୍ବାଚିତ ହୋଇଆସିଥିବାରୁ ସେ ଖୁସି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ବିରୋଧୀଙ୍କ ଆଭିମୁଖ୍ୟକୁ ସରକାର ସମ୍ମାନ ଦେବେ। ସଂସଦରେ ଶାସକ ଦଳ-ବିରୋଧୀ ଦଳ ଭାବନାରୁ ଉପରେ ରହି ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଏହାଦ୍ୱାରା ସଂସଦରେ ଅଧିକ କାମ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ ୧୭ତମ ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୩୫୩ ସାଂସଦ ରହିଛି। ୩୦୩ ସାଂସଦ ସହ ଶାସକ ଦଳ ବିଜେପି ଗୃହରେ ସବୁଠୁ ଅଧିକ ଆସନ ଜିତିଥିବା ଦଳ ରହିଛି। ଏହାପରେ କଂଗ୍ରେସ ୫୨ ସାସଂଦ ସହ ଦ୍ୱିତୀୟ ସର୍ବାଧିକ ଦଳ, ତୃତୀୟରେ ୨୩ ସାଂସଦ ସହ ଡିଏମକେ, ଏହାପରେ ୨୨ ସାଂସଦ ସହ ଓ୍ୱାଇଏସଆର କଂଗ୍ରେସ , ୨୨ ସାଂସଦ ସହ ତୃଣମୂଳ କଂଗ୍ରେସ , ୧୮ ସାଂସଦ ସହ ଶିବସେନା,  ଜେଡିୟୁ ୧୬, ବିଜେଡି ୧୨ ଏବଂ ବିଏସପି ପାଖରେ ୧୦ ସାଂସଦ ରହିଥିବା ବେଳେ ଅନ୍ୟାନ୍ୟ ଦଳ ପାଖରେ ୧୦ରୁ କମ୍ ସାଂସଦ ରହିଛନ୍ତି।