ଧାରା ୩୭୦: ଅଟକ ବିରୋଧରେ କୋର୍ଟ ଗଲେ ପୂର୍ବତନ ଆଇଏଏସ୍‌

ନୂଆଦିଲ୍ଲୀ: ପ୍ରଶାସନିକ ସେବାରୁ ଅବସର ନେଇ ରାଜନୀତି କରୁଥିବା ପୂର୍ବତନ ଆଇଏଏସ୍‌ ଶାହ ଫୈଜଲ ଏବେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଅଗଷ୍ଟ ୧୪ରେ ଅଟକ ରଖାଯାଇଥିଲା। ଏହାପରେ ତାଙ୍କୁ ଶ୍ରୀନଗର ପଠାଇ ଦିଆଯାଇଥିଲା।

ଏହା ବିରୋଧରେ ଫୈଜଲ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ତାଙ୍କ ଆବେଦନକୁ ଗ୍ରହଣ କରିବା ସହ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର କରାଯିବ।

ଅଗଷ୍ଟ ୧୪ରେ ଫୈଜଲ ଇସ୍ତାନବୁଲ ଯିବାର ଥିଲା। ଏଥିପାଇଁ ସେ ୧୩ ତାରିଖ ରାତିରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲେ। ତେବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ବିବାଦୀୟ ବୟାନ ଦେଉଥିବା ଫୈଜଲଙ୍କୁ ପୁଲିସ୍‌ ଏଠାରେ ଅଟକ ରଖିଥିଲା।

ଏହାପରେ ୧୪ ତାରିଖ ସକାଳେ ତାଙ୍କୁ ବିମାନ ଯୋଗେ ଶ୍ରୀନଗର ପଠାଇ ଦିଆଯାଇଥିଲେ। ସେଠାରେ ତାଙ୍କୁ ସୁରକ୍ଷାକର୍ମୀମାନେ ଗୃହବନ୍ଦୀ କରି ରଖିଥିଲେ। ଏବେ ଏହା ବିରୋଧରେ ସେ ଆଇନଗତ ଲଢ଼େଇ ଆରମ୍ଭ କରିଛନ୍ତି।