ଟ୍ରିପଲ ତଲାକ ଜରିଆରେ ଛାଡ଼ପତ୍ର ଦେଲେ ପୂର୍ବତନ ରାଜା

କ୍ୱାଲାଲମ୍ପପୁର: ମ୍ୟାଲେସିୟାର ପୂର୍ବତନ ରାଜା ସୁଲତାନ ମହମ୍ମଦ ଟ୍ରିପଲ ତଲାକ ଜରିଆରେ ତାଙ୍କ ପତ୍ନୀ ତଥା ପୂର୍ବତନ ରୁଷିଆ ବିୟୁଟି କୁଇନ୍‌ ରିହାନା ଓକ୍ସାନା ଗୋର୍ବାଟେନକୋଙ୍କୁ ଛାଡ଼ପତ୍ର ଦେଇଛନ୍ତି।

ଗତବର୍ଷ ଉଭୟ ବିବାହ କରିଥିବା ନେଇ ଖବର ପ୍ରକାଶ ପାଇଥିଲା। ଏବେ ସିଙ୍ଗାପୁରରେ ରହୁଥିବା ସୁଲତାନଙ୍କ ଓକିଲ କହିଛନ୍ତି, “୨୦୧୯ ଜୁନ୍‌ ୨୨ରେ ସୁଲତାନ ଟ୍ରିପଲ ତଲାକ ଜରିଆରେ ରିହାନାଙ୍କୁ ଛାଡ଼ପତ୍ର ଦେଇଛନ୍ତି।

ସୁଲତାନ ଆରବିକ୍‌ ଭାଷାରେ ୩ଥର ତଲାକ କହି ତାଙ୍କର ବିବାହକୁ ବାତିଲ କରିଛନ୍ତି। ଏନେଇ କେଲେନଟାନା କୋର୍ଟ ସୁଲତାନ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବାର ପ୍ରମାଣପତ୍ର ଦେଇଛନ୍ତି। ”

ଅନ୍ୟପକ୍ଷରେ ରିହାନା ଏଭଳି ଖବରକୁ ଖଣ୍ଡନ କରିଛନ୍ତି। ସେ ସୋଶାଲ୍‌ ମିଡିଆରେ ସୁଲତାନ ଓ ଗତ ମେ’ ମାସରେ ଜନ୍ମିତ ଶିଶୁର ଫଟୋକୁ ପୋଷ୍ଟ କରିଛନ୍ତି।