ପୂର୍ବତନ ମନ୍ତ୍ରୀ ଏବେ ଚାଷୀ

ଲକ୍ଷ୍ନୌ: ସେ ଉତ୍ତରପ୍ରଦେଶ ଅଖିଳେଶ ସରକାରରେ ଥିଲେ ରାଜ୍ୟମନ୍ତ୍ରୀ। ବହୁତ ଲୋକପ୍ରିୟତା ମଧ୍ୟ ଥିଲା। ବିଧାୟକ ଓ ମନ୍ତ୍ରୀ ହୋଇ ସାରିଥିବା ଏହି ନେତା ଜଣଙ୍କ ଏବେ ଚାଷ କରୁଛନ୍ତି। ଆମେ ଉତ୍ତରପ୍ରଦେଶ ନଇବସ୍ତି ଗାଁର ବଂଶୀଧର ବୌଦ୍ଧଙ୍କ କଥା କହୁଛୁ। ବଂଶୀଧର ଚାଷ କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ସେ ରାଜ୍ୟମନ୍ତ୍ରୀ ପରି ପଦ ସମ୍ଭାଳିବା ପରେ ଚାଷ କାହିଁକି କରୁଛନ୍ତି ଚିନ୍ତା କରୁଥିବେ ନିଶ୍ଚିତ। ଆସନ୍ତୁ ଜାଣିବା ବଂଶୀଧର ଚାଷ କରିବାର କାରଣ।

ବଲହା ବିଧାନସଭା କ୍ଷେତ୍ରରେ ୨୦୧୪ରେ ଉପନିର୍ବାଚନ ହୋଇଥିଲା। ଏଥିରେ ସମାଜବାଦୀ ପାର୍ଟିରୁ ବଂଶୀଧର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଭାଜପା ପ୍ରାର୍ଥୀଙ୍କୁ ପରାସ୍ତ କରି ସେ ବିଧାନସଭାକୁ ଯାଇଥିଲେ। ତାଙ୍କୁ ରାଜ୍ୟମନ୍ତ୍ରୀ ପଦ ବି ମିଳିଥିଲା। ହେଲେ ୨୦୧୭ ନିର୍ବାଚନରେ ସବୁ ବଦଳି ଗଲା। ବଂଶୀଧରଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ରାଜପାଟ ଚାଲିଯିବା ପରେ ବଂଶୀଧର ପୂର୍ବଭଳି ପୁଣି କ୍ଷେତରେ କାମରେ ଲାଗି ପଡ଼ିଛନ୍ତି। ଜଣେ ପୂର୍ବତନ ମନ୍ତ୍ରୀଙ୍କୁ କ୍ଷେତରେ ଦେଖି ବାହାର ଲୋକେ କ’ଣ ଗ୍ରାମବାସୀ ବି ଆଶ୍ଚର୍ଯ୍ୟ ହୋଇଥିଲେ। ପ୍ରଥମେ ପ୍ରଥମେ ଲୋକେ ତାଙ୍କୁ ଆଡ ଆଖିରେ ଚାହୁଁଥିଲେ। ହେଲେ ସମୟ ସହ ସବୁକିଛି ବଦଳି ଯାଇଛି। ଏବେ ସେ ଚାଷ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ଲୋକେ ମଧ୍ୟ ତାଙ୍କର ଏହି ଚିନ୍ତାଧାରକୁ ସମ୍ମାନ ଦେଉଛନ୍ତି।

ଏନେଇ ବଂଶୀଧର କୁହନ୍ତି,“ମାଟି ସହ ଜୋଡ଼ି ହୋଇ ରହିଛି। ମାଟିକୁ କେବେ ଛାଡି ପାରିବି ନାହିଁ। ଜନତାଙ୍କ ପାଇଁ ମୋ ଘରର ଦ୍ୱାର ସବୁବେଳେ ଖୋଲା ଅଛି। ବିଧାୟକ ନ ଥିଲେ କ’ଣ ହେଲେ ଲୋକଙ୍କ ଅସୁବିଧା ସମୟରେ ସବୁ ବେଳେ ତାଙ୍କ ପାଖରେ ରହିଥାଏ।”