ସରୁଛି ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ, ପୁଣି ଥରେ ପ୍ରାର୍ଥୀ ହେବେ କି ?

ନୂଆଦିଲ୍ଲୀ: ଆସନ୍ତା ମାସ ୧୪ ତାରିଖରେ ଶେଷ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜ୍ୟସଭା କାର୍ଯ୍ୟକାଳ।  ୨୦୧୩ରେ ସେ ଆସାମରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ସହିତ ଶାନ୍ତିଉଜ କୁଜୁରଙ୍କ ରାଜ୍ୟସଭା କାର୍ଯ୍ୟକାଳ ମଧ୍ୟ ଜୁନ୍ ୧୪ ତାରିଖରେ ଶେଷ ହେଉଛି। ସେ ବି ଆସାମରୁ ନିର୍ବାଚିତ ହୋଇଯାଇଥିଲେ।

ଏହି ଦୁଇ ଆସନ ପାଇଁ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ହେଲେ ମେ’ ୨୧ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଯଦି ଏହି ଦୁଇ ଆସନ ପାଇଁ ନିର୍ବାଚନର ଆବଶ୍ୟକ ହୁଏ, ତା’ହେଲେ ଜୁନ୍‌ ୨୭ ତାରିଖରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି।

ତେବେ ୮୬ ବର୍ଷୀୟ ମନମୋହନ ସିଂହ ଏଥର ପୁଣି ପ୍ରାର୍ଥୀ ହେବେ କି ନାହିଁ, ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି। କଂଗ୍ରେସ ବି ଏ ବିଷୟରେ ଏଯାଏ କିଛି କହି ନାହିଁ। ଅବଶ୍ୟ ଆସାମରେ ଆଉ କଂଗ୍ରେସର ଆଗ ଭଳି ସ୍ଥିତି ନାହିଁ। ଆସାମ ବିଧାନସଭାରେ ଏବେ ବିଜେପିର ଅଧିକ ବିଧାୟକ ଅଛନ୍ତି।

୧୨୬ଟି ଆସନ ବିଶିଷ୍ଟ ଆସାମ ବିଧାନସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୮୮ଟି ଆସନ ରହିଛି। ବିରୋଧୀ କଂଗ୍ରେସ ଓ ସହଯୋଗୀ ଏଆଇୟୁଡିଏଫ ପାଖରେ ମାତ୍ର ୨୮ଟି ଆସନ ରହିଛି।