ତିହାର ଜେଲରେ ଶିବ କୁମାରଙ୍କୁ ଭେଟିଲେ କୁମାରସ୍ୱାମୀ

ନୂଆଦିଲ୍ଲୀ: ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆଜି ତିହାର ଜେଲରେ କଂଗ୍ରେସ ନେତା ଡିକେ ଶିବ କୁମାରଙ୍କୁ ଭେଟିଛନ୍ତି। ମନି ଲଣ୍ଡରିଂ ମାମଲାରେ ଶିବ କୁମାର ଏବେ ରିମାଣ୍ଡରେ ରହିଛନ୍ତି।

କୁମାରସ୍ୱାମୀ କହିଛନ୍ତି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ଶିବ କୁମାର ମାନସିକ ଭାବରେ ଠିକ୍ ଅଛନ୍ତି। ତାଙ୍କ ସହ ଆମେ ମାନେ ରହିଛୁ ବୋଲି କହିବା ସହ ନିରାଶ ନହେବାକୁ କହିଲି ବୋଲି କୁମାରସ୍ୱାମୀ କହିଛନ୍ତି। ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାର ସମସ୍ତ ପ୍ରମାଣ ସେ ତଦନ୍ତକାରୀ ସଂସ୍ଥାକୁ ଦେଇଛନ୍ତି ବୋଲି କୁମାରସ୍ୱାମୀ କହିଛନ୍ତି।

ଇଡି ଗତ ବର୍ଷ ସେପ୍ଟେମ୍ବରରେ ହିଁ ମାମଲା ରୁଜୁ କରିଥିଲା। ଟିକସ ଫାଙ୍କି ଏବଂ ହାୱଲା ଅଭିଯୋଗ ଆଣି ଆୟକର ବିଭାଗ ଦାଖଲ କରିଥିବା ଏକ ଚାର୍ଜଶିଟ୍‌ ଆଧାରରେ ଏହି ମାମଲା ଚାଲିଛି। ସେପ୍ଟେମ୍ୱର ୩ରେ ଇଡି ତାଙ୍କୁ ଗିରଫ କରିଥିଲା।

ଶିବକୁମାରଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ। କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ବିଜେପି ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି ତାଙ୍କ ବିରୋଧରେ ମାମଲା ରୁଜୁ କରୁଛନ୍ତି ବୋଲି ବିରୋଧୀ କହିଛନ୍ତି।

କର୍ଣ୍ଣାଟକରେ ଶିବକୁମାର ଜଣେ ପ୍ରଭାବଶାଳୀ ନେତା। କଂଗ୍ରେସ-ଜେଡିଏସ ସରକାର ବେଳେ ସେ ହିଁ ଦୁଇ ଦଳ ମଧ୍ୟରେ ଉପୁଜୁଥିବା ବିବାଦର ହିଁ ସମାଧାନ କରୁଥିଲେ।