ରୁଟି ପାଇଁ ରୋଜଗାର କରୁଛି କୁକୁର: ‘ନିଗାଓ’କୁ କିଏ କଲା ସ୍ୱାଭିମାନୀ, ପଢନ୍ତୁ ଏକ ଭଲପାଇବାର କାହାଣୀ

ଅଫିସ୍, ମଲ୍, ଷ୍ଟେସନ୍ ବଜାର, ଦୁନିଆର ପ୍ରତିଟି କ୍ଷେତ୍ରରେ ମଣିଷ କାମ କରିଥାଏ।  ବିଭିନ୍ନ ସେବା ଯୋଗାଇ ଦେବାକୁ କର୍ମଚାରୀ ନିୟୋଜିତ ହୋଇଥାନ୍ତି। ହେଲେ କେବେ ଭାବିଛନ୍ତି କୁକୁର କର୍ମଚାରୀ ପାଲଟିବା। ଏମିତି ଏକ କୌତୁକିଆ କିନ୍ତୁ ସମ୍ବେଦନଶୀଳ କାହାଣୀ ସାମ୍ନାକୁ ଆସିଛି ବ୍ରାଜିଲରୁ। ବ୍ରାଜିଲର ଏକ ଗ୍ୟାସ୍ ଷ୍ଟେସନରେ ଏକ କୁକୁର କର୍ମଚାରୀ ଭାବେ କାମ କରୁଛି। ଆଉ କୁକୁରର ଶାନ୍ତ ବ୍ୟବହାର ଦେଖି କିଏ ଖୁସି ହୋଇଯାଉଛି ତ ପୁଣି କିଏ ଘଡ଼ିଏ ଚାହିଁ ରହୁଛି।

ବ୍ରାଜିଲସ୍ଥିତ ସେଲ ଗ୍ୟାସ୍ ଷ୍ଟେସନର ମାଲିକାଣି ‘ସବରିନା ପ୍ଲାନରର୍’ ନିଜ ଗ୍ୟାସ୍ ଷ୍ଟେସନ ପାଖରେ ଦିନେ ଏହି କୁକୁରଟିକୁ ଦେଖିଥିଲେ। କୁକୁରଟି ବହୁତ ଡରିବା ଅବସ୍ଥାରେ ଥିଲା। ସେ ଏହି କୁକୁରଟିକୁ ଦେଖିବା ମାତ୍ରେ ହିଁ ତାଙ୍କ ପାର୍ଟନରଙ୍କ ସହ ମିଶି ତାକୁ ଚିକିତ୍ସା ପାଇଁ ନିକଟ ପଶୁ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ତାକୁ ରୋଗ ପ୍ରତିଷେଧକ ଟୀକା ମଧ୍ୟ ଦିଆଯାଇଥିଲା।

ଏହାପରେ ସବରିନା ତାଙ୍କ ପାର୍ଟନରଙ୍କ ସହ ମିଶି କୁକୁରଟିକୁ ଆପଣେଇ ନେଇଥିଲେ। ରହିବା ପାଇଁ ଏକ ଡଗ୍ ହାଉସ୍ ଏବଂ ତାକୁ ବୁଲାଇବାକୁ ନେବା ପାଇଁ ଏକ ବେକ ପଟି ଦେଇଥିଲେ। ସେଦିନ ନିଗାଓ(କୁକୁର)କୁ କେବଳ ଏକ ଘର ମିଳି ନ ଥିଲା, ତାସହ ତାକୁ ଏକ ରୋଜଗାର ମଧ୍ୟ ମିଳିଥିଲା। ସେମାନେ ନିଗାଓକୁ ତାଙ୍କ ଗ୍ୟାସ ଷ୍ଟେସନରେ ସ୍ୱାଗତକାରୀ ଭାବେ ନିଯୁକ୍ତି ମଧ୍ୟ ଦେଇଥିଲେ।

ନିଗାଓ ସେଠାରେ ଗ୍ରାହକଙ୍କ ଯିବା ଆସିବା ପଥକୁ ଚାହିଁ ବସିଥାଏ। ଗ୍ରାହକମାନେ ଆସିଲେ ତାଙ୍କୁ ସ୍ୱାଗତ ଜଣାଇଥାଏ। ନିଗାଓର ଏହି ବ୍ୟବହାର ଗ୍ରାହକଙ୍କ ମନକୁ ମୁଗ୍ଧ କରି ସେମାନଙ୍କୁ ଷ୍ଟେସନ ଆଡକୁ ଆକର୍ଷିତ କରୁଛି ଓ ତାକୁ ସେଠାକାର ସର୍ବଶ୍ରେଷ୍ଠ କର୍ମଚାରୀର ଆଖ୍ୟା ଦିଆଯାଇଛି।