ଅନ୍ୟ ବିଶ୍ୱବିଦ୍ୟାଳୟକୁ ଡେଇଁଲା ଜାମିଆ ନିଆଁ: ଦେଶ ଦେଖିଲା ଷ୍ଟୁଡେଣ୍ଟ ପାୱାର

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଆନ୍ଦୋଳନ କରୁଥିବା ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍‌ର ଜୁଲମ ବିରୋଧରେ ଆଜି ଦେଶର ଅଧିକାଂଶ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏକାଠି ହୋଇଛନ୍ତି। ଲକ୍ଷ୍ନୌଠାରୁ ଆରମ୍ଭ କରି ହାଇଦ୍ରାବାଦ ଓ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ହଜାର ହଜାର ଛାତ୍ରଛାତ୍ରୀ ପୁଲିସ୍‌ର ଗୁଣ୍ଡାଗର୍ଦ୍ଦି ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଜାମିଆ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍‌ ଆକ୍ରମଣ କରିଥିଲେ ହେଁ ଆଜି ଏହାକୁ ଫାଙ୍କି ଦେଇଛି। ଆଜି ପୁଲିସ ବିରୋଧରେ କୋଲକାତା, ମୁମ୍ବାଇ, ଲକ୍ଷ୍ନୌ ଓ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସାରା ଦେଶ ଆଜି ଷ୍ଟୁଡେଣ୍ଟ ପାୱାର କ’ଣ ତା’ର ମୁକସାକ୍ଷୀ ପାଲଟିଛି।

ଗତକାଲି ସନ୍ଧ୍ୟାରେ ପୁଲିସ୍‌ ବିନା କୌଣସି ଅନୁମତିରେ ଜାମିଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରି ଶାନ୍ତିପୂର୍ଣ୍ଣ ଭାବେ ସିଏଏକୁ ବିରୋଧ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ଲାଠି ଓ ଟିୟର ଗ୍ୟାସ ମାଡ଼ କରିଥିବା ଅଭିଯୋଗ ହୋଇଛି। ଏପରି କି ପୁଲିସ ଜାମିଆ ଲାଇବ୍ରେରୀରେ ପଢ଼ୁଥିବା ପିଲାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲା।

ଆଜି ସକାଳେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦେଶର ଅଧିକାଂଶ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକାଧିକ ଛାତ୍ର ପରୀକ୍ଷା ନ ଦେଇ ଜାମିଆ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ସେମାନେ ଇଣ୍ଡିଆ ଗେଟ୍‌ରେ ଏକାଠି ହୋଇ ପ୍ରତିବାଦ କରିବେ ବୋଲି ମଧ୍ୟ କହିଛନ୍ତି।

ଦିଲ୍ଲୀରେ ଆଜି ପ୍ରବଳ ଥଣ୍ଡା ପଢ଼ୁଛି। ଏହା ସତ୍ତ୍ୱେ ପୁଲିସ୍‌ର କାର୍ଯ୍ୟାନୁଷ୍ଠାନ ବିରୋଧରେ ଏକାଧିକ ଛାତ୍ର ଶାର୍ଟ ଖୋଲି ପ୍ରତିବାଦ ଜଣାଇଥିଲେ। ସେମାନଙ୍କୁ ଶତାଧିକ ଛାତ୍ରଛାତ୍ରୀ ସମର୍ଥନ କରିଥିଲେ। ଇନକିଲାବ ଜିନ୍ଦାବାଦ ନାରା ଦେବା ସହ ପୁଲିସ୍‌ର ବର୍ବରତା ବିରୋଧରେ ସିବିଆଇ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ପୁଲିସ୍‌ ଆକ୍ରମଣରେ ଆହତ ଛାତ୍ରୀମାନେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖୁଥିବା ବେଳେ ଏହାକୁ ସେଠାରେ ଉପସ୍ଥିତ କିଛି ସାଧା ପୋଷାକଧାରୀ ଲୋକ ବିରୋଧ କରିଥିଲେ। ଗତକାଲି ସନ୍ଧ୍ୟାରେ ଗେଟ୍ ନଂ ୭ ଦେଇ ୨୦ ଜଣ ପୁଲିସ୍‌ କ୍ୟାମ୍ପସରେ ପଶିଥିଲେ। ଏହାବାଦ ଆଉ ୫୦ ଜଣ ପୁଲିସ ଅଧିକାରୀ ବିଭିନ୍ନ ଗେଟ ଦେଇ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଥିଲେ। ଛାତ୍ରଛାତ୍ରୀମାନେ ହିଂସାରେ ସେମାନଙ୍କ କୌଣସି ଭୂମିକା ନାହିଁ ବୋଲି କହିଥିଲେ ହେଁ ପୁଲିସ୍‌ କୌଣସି କଥା ଶୁଣି ନଥିଲା। ସେମାନଙ୍କ ଉପରେ ଅତର୍କିତ ଭାବେ ଲାଠି ଚାର୍ଜ କରିଥିଲା।

ଲକ୍ଷ୍ନୌର ନଦୱା କଲେଜର ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ‘ଆୱଜ ଦୋ ହମ ଏକ ହୈ’ ନାରା ଦେଇଥିଲେ। ହାଇଦ୍ରାବାଦର ମୌଲାନା ଆଜାଦ ଉର୍ଦ୍ଦ୍ୱୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟରାତ୍ରରେ ଶୋଭାଯାତ୍ରା କରିବା ସହ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି।

ପୁଲିସର ଗୁଣ୍ଡାଗର୍ଦ୍ଦି ବିରୋଧରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ ଯାଦବପୁର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଦାବି କରିଛନ୍ତି। ଦିଲ୍ଲୀ ପୁଲିସ୍‌ ବିରୋଧରେ ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍‌ସ(ଟିଆଇଏସଏସ) ରାଜରାସ୍ତାରେ ଶୋଭାଯାତ୍ରା କରିଛନ୍ତି। ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦରେ କ୍ଲାସ କରି ନଥିଲେ। ଇନଷ୍ଟିଚ୍ୟୁଟର ଅଧ୍ୟାପକ ଓ କର୍ମଚାରୀମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ।

ଜାମିଆ ସପକ୍ଷରେ ପ୍ରଥମେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ ପ୍ରଥମେ ବାହାରିଥିଲା। ଏହି କାରଣରୁ ପୁଲିସ୍‌ ସହ ଛାତ୍ରଛାତ୍ରୀଙ୍କ ସଂଘର୍ଷ ହୋଇଥିଲା। ଆଜି ମଧ୍ୟ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ୫ଯାଏ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଜାମିଆ ଛାତ୍ରଛାତ୍ରୀଙ୍କ ସପକ୍ଷରେ ଜେଏନୟୁର ଶତାଧିକ ଶିକ୍ଷାର୍ଥୀ ପୁଲିସ୍‌ ମୁଖ୍ୟାଳୟରେ ମଧ୍ୟ ଆନ୍ଦୋଳନ କରିଥିଲେ।