ନକ୍ସଲ ଧମକକୁ ବେଖାତିର, ଭୋଟ ଦେଲେ ଏହି ଜିଲ୍ଲାର ଲୋକ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ପାଇଁ ଆଜି ଭୋଟ ଗ୍ରହଣ ହୋଇଛି। ଆସନ୍ତା ୨୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଆଜି ରାଜନେତାଙ୍କ ଠାରୁ ଆରମ୍ଭ କରି କଳାକାର ଓ ସାଧାରଣ ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ତେବେ ମହାରାଷ୍ଟ୍ରର ନକ୍ସଲ ପ୍ରବଣ ଅଞ୍ଚଳ ଗଡ଼ଚିରୋଲି ଉପରେ ସମସ୍ତଙ୍କ ନଜର ରହିଥିଲା।

ଏଠାରେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ନ ହେବାକୁ ମାଓବାଦୀମାନେ ସାଧାରଣ ଲୋକଙ୍କୁ ଧମକ ଦେଇଥିଲେ। ତେବେ ନକ୍ସଲଙ୍କ ଧମକ ସତ୍ତ୍ୱେ ବିପୁଳ ସଂଖ୍ୟାର ଆଦିବାସୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଆଜି ସକାଳୁ ମାଓବାଦୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇ ଭୋଟ ପ୍ରକ୍ରିୟାରେ ସାମିଲ ନ ହେବାକୁ ଧମକ ଦେଇଥିଲେ। ଏଗୁଡ଼ିକୁ ସୁରକ୍ଷାକର୍ମୀମାନେ ଜବତ କରିଥିଲେ। ଏହାପରେ ଭୋଟ ଦାନ କେନ୍ଦ୍ର ଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ଏପରି କି ସୁରକ୍ଷା କାରଣରୁ ପୁଲିସ୍ ଅଫିସର ଓ ଜିଲ୍ଲାପାଳ ଭେନଗୁନରୁ ଗାଁରେ ଥିବା ପୋଲିଂ ବୁଥକୁ ରେଗଡି ଗାଁକୁ ସ୍ଥାନାନ୍ତର କରିଥିଲେ। ଭେନଗୁନରୁ ଗାଁର ଶତାଧିକ ଲୋକ ରେଗଡି ଗାଁକୁ ଯାଇ ସେଠାରେ ମତାଧିକାର ସାବ୍ୟସ୍ତ କରିଥିଲେ। ଲୋକଙ୍କ ସୁରକ୍ଷା ପାଇଁ ପୁଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା।