ବନ୍ଧୁକ ମୁନରେ ଗଣଦୁଷ୍କର୍ମ: ପୀଡିତା ପାଲଟିଲେ ପରିବାରର ୪ମହିଳା, ବିରୋଧ କରିବାରୁ ଗୁଳି

ଗ୍ରେଟେର ନୋଏଡା: ବନ୍ଧୁକ ମୁନରେ ଗଣଦୁଷ୍କର୍ମ। ବଳାତ୍କାରରେ ଶିକାର ହୋଇଛନ୍ତି ୪ ମହିଳା। ପୁଣି ପରିବାର ଲୋକଙ୍କ ସାମ୍ନାରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି। ତେବେ ଦୁଷ୍କର୍ମକୁ ବିରୋଧ କରିବାରୁ ପରିବାରର ଜଣେ ବ୍ୟକ୍ତିଙ୍କୁ ହୋଇଛି ଗୁଳିମାଡ଼। ଏମିତି ଏକ ଅଭାବନୀୟ ଘଟଣା ନୋଏଡାର ଯମୁନା ଏକ୍ସପ୍ରେସ୍‌ ୱେ ନିକଟରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ ଗୋଟିଏ ପରିବାରର  କିଛି ସଦସ୍ୟ ଯମୁନା ଏକ୍ସପ୍ରେସ୍‌ ୱେର ଜ୍ୟୁଆରରୁ ବୁଲନ୍ଦସହରକୁ  କାରରେ ଯାଉଥିଲେ। ତେବେ ଅଧା ବାଟରେ କାର୍‌ର ଚକା ପମ୍ପଚର ହୋଇଯିବାରୁ ପରିବାର ଲୋକେ ଗାଡ଼ି  ବାହାରକୁ ଆସିଥିଲେ। ଏହି ସମୟରେ ୬ରୁ ୭ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ସେମାନଙ୍କୁ ଘେରିଯାଇଥିଲେ। ବନ୍ଧୁକ ଦେଖାଇ ସେମାନଙ୍କୁ ପାଖ ବିଲକୁ ନେଇ ଯାଇଥିଲେ। ସେଠାରେ ଡରାଇ ଧମକାଇ ପରିବାର ଲୋକଙ୍କ ଠାରୁ ଟଙ୍କା, ମୋବାଇଲ ଏବଂ ଅଳଙ୍କାର ଛଡ଼ାଇ ନେଇଥିଲେ। ହେଲେ ଏତିକିରେ ସେମାନେ ଶାନ୍ତି ହୋଇ ନ ଥିଲେ। ପରେ  ୪ଜଣ ମହିଳାଙ୍କୁ ଘୋଷାରି ନେଇ ବିଲ ମଝିରେ ଗଣବଳାତ୍କାର କରିଥିଲେ। ଏହି ସମୟରେ ଘରର ଜଣେ ପୁରୁଷ ସଦସ୍ୟ ବିରୋଧ କରିବାରୁ ତାଙ୍କୁ ଗୁଳି କରି ମାରି ଦେଇଥିବା ଅଭିଯୋଗ ହୋଇଛି।  ତେବେ ଖବର ପାଇ ପୋଲିସ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।