ବିନା ଗ୍ୟାସ୍ ସିଲିଣ୍ଡରରେ ଜଳିଲା ଚୁଲା: ଲୋକେ କହିଲେ ଭଗବାନଙ୍କ ଚମତ୍କାରିତା, କିନ୍ତୁ…

ଚଣ୍ଡିଗଡ: ବିନା ଗ୍ୟାସ ସିଲିଣ୍ଡରରେ ଜଳିଲା ଚୁଲା। ଏପରି ଏକ ଅଦ୍ଭୁତ ଘଟଣା ଘଟିଛି ଚଣ୍ଡିଗଡରେ। ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ସୂଚନା ଅନୁଯାୟୀ, ଚଣ୍ଡିଗଡର ଏକ ଗୁରୁଦ୍ୱାରରେ ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରା ଯାଉଥିଲା। ଗ୍ୟାସ ଚୁଲା ଉପରେ ଏକ ବଡ଼ ପାତ୍ର ରଖାଯାଇଥିଲା। ଚୁଲା ଜଳୁଥିଲା। କିନ୍ତୁ ଚୁଲା ସହ ଗ୍ୟାସ ଟାଙ୍କି ସଂଯୋଗ ହୋଇ ନଥିଲା। ତେଣୁ ସେଠାକାର ଏହି ଅଦ୍ଭୁତ ଦୃଶ୍ୟକୁ ଲୋକେ ଭଗବାନଙ୍କ ଚମତ୍କାର ବୋଲି କହୁଛନ୍ତି। ଏହି ଭିଡିଓ ଦେଖିବା ସମୟରେ ଲୋକେ ହାତଯୋଡି ପ୍ରଣାମ ମଧ୍ୟ କରୁଛନ୍ତି।

ପ୍ରକୃତ କଥା କ’ଣ?

ପ୍ରଥମେ ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ଦେଖିବାକୁ ମିଳିଥିଲା। ତେଣୁ ଏହାର ସତ୍ୟତା ପରଖିବା ପାଇଁ ଯେତେବେଳେ ପଚରା ଉଚରା କରାଗଲା ସେତେବେଳେ ଏହି ଭିଡିଓ ଚଣ୍ଡିଗଡର ସେକ୍ଟର ୪୦ନଂ ଗୁରୁଦ୍ୱାରର ବୋଲି ଜଣାପଡିଲା। ସେଠାକାର ଗୁରୁଦ୍ୱାର ପରିଚାଳକ କମିଟିର ଜେନେରାଲ ସେକ୍ରେଟେରୀଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଲେ, ଜଣେ ଶ୍ରଦ୍ଧାଳୁ ଏହି ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡିଛନ୍ତି। ଭିଡିଓରେ ଯାହା ଦେଖିବାକୁ ମିଳୁଛି ସେ ସବୁ ସତ ନୁହେଁ।

ଏମିତି କିଛି ଚମତ୍କାର ହୋଇନାହିଁ। ଗୁରୁଦ୍ୱାରରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ସମୟରେ ସିଲିଣ୍ଡରରୁ ଗ୍ୟାସ ସରି ଯାଇଥିଲା। ତେଣୁ ସିଲିଣ୍ଡରକୁ ଚୁଲାରୁ ଅଲଗା କରିଦିଆଗଲା। ଏବଂ ଅଲଗା କରିବା ସମୟରେ ପାଇପ୍‌ରେ ରହିଯାଇଥିବା ଗ୍ୟାସ୍‌ ପାଇଁ ଚୁଲା ଅଳ୍ପ କିଛି ସମୟ ଜଳିଥିଲା।

ଏପିର ମିଛ ଭିଡିଓ ଦ୍ୱାରା କିଛି ଲୋକ ଭକ୍ତଙ୍କ ଭାବନା ସହ ଖେଳୁଥିବାର ସେ କହିଛନ୍ତି।