ସିସିଟିଭିରେ କଏଦ ମହିଳା ସାମ୍ବାଦିକଙ୍କ ହତ୍ୟାର ଦୃଶ୍ୟ : ତଦନ୍ତ କରିବ ଏସଆଇଟି

ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣାଶୁଣା ମହିଳା ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ତଦନ୍ତ ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ ରାମେୟା ସ୍ପେଶିଆଲ ଇନ୍‌ଭେଷ୍ଟିଅଗେସନ୍‌ ଟିମ୍‌ (ଏସଆଇଟି) ଗଠନ କରିଛନ୍ତି।  ସେହିପରି ଘଟଣାର ସିବିଆଇ ତଦନ୍ତ ପାଇଁ  ସେ ରାଜିଥିବା କହିଛନ୍ତି।  ଅନ୍ୟପକ୍ଷରେ  ଏହି ଘଟଣାରେ ଗୃହମନ୍ତ୍ରୀ ରାଜନାଥ ସିଂ ରିପୋର୍ଟ ତଲବ କରିଛନ୍ତି।  ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସିଦ୍ଧରାମେୟା କହିଛନ୍ତି ଯେ, ଏହି ଘଟଣାରେ ସେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।  ଆଲୋଚନା ପରେ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସଆଇଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।  ସେହି ଅନୁଯାୟୀ ଜଣେ ଆଇଜି ପାହ୍ୟାର ପୋଲିସ ଅଧିକାରୀଙ୍କୁ ଟିମ୍‌ର ମୁଖ୍ୟଭାବେ ଅବସ୍ଥାପିତ କରାଯାଇଛି।

ସିନ୍ଧରାମେୟାଙ୍କ କହିବା ଅନୁଯାୟୀ ଲଙ୍କେଶଙ୍କ ବାଷଭବନ ପରିସରରେ  ଆଗରେ ୪ଟି ସିସିଟିଭି ଲାଗିଛି । ତେବେ ଗୋଟିଏ କ୍ୟାମେରାରେ ହତ୍ୟାକାଣ୍ଡର ଦୃଶ୍ୟ ଉତ୍ତୋଳନ ହୋଇଛି।  ଉଦ୍ଧାର ହୋଇଥିବା ଭିଡିଓ ଫୋଟେଜ୍‌ ଅନୁଯାୟୀ, ଲଙ୍କେଶ ପ୍ରଥେମେ ନିଜ ବାଷଭବନ ଆଗରେ କାର ରଖି ଗେଟ ଖୋଲିଥିଲେ।  ଆଉ ଭିତରପଟକୁ ଯିବା ସୟମରେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚାଳନା କରିଥିଲେ।  ତେବେ ଆତତାୟୀ ଜଣକ ସେତେବେଳେ ହେଲମେଟ ପିନ୍ଧିଥିଲେ।

ଏହି ଘଟଣାରେ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି। ସେପଟେ ଲଙ୍କେଶଙ୍କ ପରିବାର ଲୋକେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ଖୁବ୍‌ଶୀଘ୍ର ହତ୍ୟାକାରୀ ଗିରଫ ହେବେ  ବୋଲି  କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଅଶାବାଦୀ ଥିବା କହିଛନ୍ତି। ଯଦି ପରିବାର ଲୋକେ  ଚାହୁଁଛନ୍ତି ତେବେ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି।

ତେବେ ଗୌରୀଙ୍କୁ ହତ୍ୟାପଛରେ କ’ଣ କାରଣ ଥାଇପାରେ ଏବଂ କେଉଁମାନେ ଏଥିରେ  ସମ୍ପୃକ୍ତ ସେ ବିଷୟରେ  ପ୍ରଶ୍ନ ଉଠିବାରୁ  କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ ମୁଖ୍ୟମନ୍ତ୍ରୀ। ହେଲେ ଏହି ଘଟଣାକୁ ସେ କଡ଼ା ନିନ୍ଦା କରୁଛନ୍ତି ବୋଲି କହିଛନ୍ତି।  ଅନ୍ୟପକ୍ଷରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଗୃହ ସଚିବ ରାଜୀବ ଚୌବାଙ୍କୁ ଘଟଣାର ଏକ ରିପୋର୍ଟ ମାଗିଛନ୍ତି।

ସେହିପରି ଗୌରୀଙ୍କ ହତ୍ୟା ଘଟଣାକୁ ଓଡ଼ିଶାର ବିଶିଷ୍ଟ କମ୍ୟୁନିଷ୍ଟ ନେତା  ରାମକୃଷ୍ଣ ପଣ୍ଡା ତୀବ୍ର ନିନ୍ଦା କରିଛନ୍ତି।  ରାମକୃଷ୍ଣ କହିଛନ୍ତି ଯେ,ସେ ଅନେକ ସମୟରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କରେ  ଆସିଛନ୍ତି।  ସେ ଉଭୟ ସାମ୍ବାଦିକ ଏବଂ ଜଣେ ସାମାଜିକ କର୍ମୀ ଥିଲେ। ହେଲେ   ଯେଉଁଭଳି ଭାବେ ତାଙ୍କୁ ହତ୍ୟା କରାଗଲା  ତାହା କାପୁରୁଷପଣିଆର ପ୍ରମାଣ ଦେଉଛି।  ଆରଏସଏସ ଏବଂ ସଂଘପରିବାରର ଗୌରୀ ଜଣେ ଦୃଢ ସମାଲୋଚକ ଥିଲେ। ସାମ୍ପ୍ରଦାୟିକ ଶକ୍ତି ଏବଂ ଦୁର୍ନୀତି ବିରୋଧରେ ଅତି ନିର୍ଭୀକ ଭାବରେ ଲେଖା ପ୍ରକାଶ କରୁଥିଲେ ଗୌରୀ। ଏହି କାରଣରୁ ଆଗରୁ ତାଙ୍କୁ ଅନେକଥର ହତ୍ୟା ଧମକ ଆସିଥିଲା। ତଥାପି ସେ ଡରିଯାଇ ନଥିଲେ ବୋଲି ରାମକୃଷ୍ଣ କହିଛନ୍ତି।

ସୂଚନାଯୋଗ୍ୟ ଯେ, ୫୫ ବର୍ଷୀୟା ଗୌରୀଙ୍କୁ ବେଙ୍ଗାଲୋରସ୍ଥିତ ତାଙ୍କ ବାସଭବନରେ ଗତକାଲି ଗୁଳି କରି ହତ୍ୟା କରାଯାଇଥିଲା। ସେ ମୌଳବାଦ ହିନ୍ଦୁ ସଙ୍ଗଠନଗୁଡ଼ିକର ଦୃଢ଼ ସମାଲୋଚକ ଥିଲେ।