ସରକାର ଅନୁମତି ଦେଲେ ପାକିସ୍ତାନ୍ ଯାଇପାରେ: ଗାଭାସ୍କର

ନୂଆଦିଲ୍ଲୀ: କ୍ରିକେଟର୍‌ରୁ ରାଜନେତା ହୋଇଥିବା ଇମ୍ରାନ୍‌ ଖାନ୍‌ ଆସନ୍ତା ୧୧ ତାରିଖରେ ପାକିସ୍ତାନ୍‌ର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ବିଭିନ୍ନ ଦେଶର ନେତାଙ୍କ ସମେତ ବହୁ କ୍ରିକେଟର୍‌ ବନ୍ଧୁଙ୍କୁ ତାଙ୍କ ଦଳ ‘ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌’ (ପିଟିଆଇ) ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର୍‌ଙ୍କୁ ମଧ୍ୟ ଇମ୍ରାନ୍‌ ନିମନ୍ତ୍ରଣ କରିଛନ୍ତି।

ତେବେ ଗାଭାସ୍କର୍‌ ପାକିସ୍ତାନ୍‌ ଯିବେ କି ନାହିଁ ସେ ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ସେ କହିଛନ୍ତି, “ପାକିସ୍ତାନ୍‌ ଯିବା ପାଇଁ ଭାରତ ସରକାରଙ୍କ ଅନୁମତି ଓ ପରାମର୍ଶ ନେବି। ସରକାର ଅନୁମତି ଦେଲେ ମୁଁ ସେଠାକୁ ଯାଇପାରେ।”

ସେ ଆହୁରି କହିଛନ୍ତି, “ଇମ୍ରାନ୍‌ଙ୍କ ଦଳ ପକ୍ଷରୁ ମୋତେ ଫୋନ୍‌ କରି ପାକିସ୍ତାନ୍‌ ଯିବାକୁ ଅନୁରୋଧ କରାଯାଇଛି। ମୋତେ କୁହାଯାଇଛି ଯେ ଶପଥ ଗ୍ରହଣର ତାରିଖ ସ୍ଥିର ହୋଇନାହିଁ। ତାରିଖ ସ୍ଥିର ହେଲେ ମୋତେ ସେମାନେ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିବେ।”

ଗାଭାସ୍କର କହିଛନ୍ତି,“ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଟେଷ୍ଟ୍ ମ୍ୟାଚ୍ ଯୋଗୁଁ ମୁଁ ବ୍ୟସ୍ତ ଥିବି। ତେଣୁ ସେଠାକୁ ଯିବା ପ୍ରାୟ ଅସମ୍ଭବ। ତଥାପି ଭାରତ ସରକାରଙ୍କ ପରାମର୍ଶ ନେବା ପରେ ନିଷ୍ପତ୍ତି ନେବି।”

ସୂଚନାଯୋଗ୍ୟ, ଗାଭାସ୍କରଙ୍କ ସହିତ କପିଲ୍ ଦେବ, ନବଜୋତ ସିଂହ ସିଦ୍ଧୁ ଓ ଅଭିନେତା ଆମୀର ଖାନ୍‌ଙ୍କୁ ଆମନ୍ତ୍ରଣ କରିଛନ୍ତି ଇମ୍ରାନ୍‌।

ଏ ଖବର ଗଣମାଧ୍ୟମରେ  ଆସିବା ପରେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ କହିଥିଲେ ଯେ ଯିଏ ପାକିସ୍ତାନ୍‌ ଯିବ ସେ ଦେଶଦ୍ରୋହୀ ହେବ।