ଓଡ଼ିଶା ସମେତ ଦେଶର ୯୧ଟି ଲୋକସଭା ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ:  ଆଜି ୧୭ତମ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଓଡ଼ିଶା ସମେତ ୧୮ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ରାଜ୍ୟର ୯୧ଟି ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ। ତେବେ ନକ୍ସଲ ପ୍ରଭାବିତ ଓ ଦୁର୍ଗମ ଅଞ୍ଚଳରେ ଅପରାହ୍ଣ ୪ଟାରେ ମତଦାନ ଶେଷ ହେବ।

ଓଡ଼ିଶାରେ ୪ଟି ଲୋକସଭା ଆସନ, ଆସାମର ୫ଟି, ଅରୁଣାଚଳ ପ୍ରଦେଶର ୨ଟି, ବିହାରର ୪ଟି, ଉତ୍ତର ପ୍ରଦେଶର ୮ଟି, ତେଲେଙ୍ଗାନାର ସମସ୍ତ ୧୭ଟି ଲୋକସଭା ଆସନ, ଆନ୍ଧ୍ରପ୍ରଦେଶର ୨୫ଟି, ମହାରାଷ୍ଟ୍ରର ୭ଟି, ଉତ୍ତରାଖଣ୍ଡରେ ୫ଟି,  ଛତିଶଗଡ଼ରେ ଗୋଟିଏ, ଜମ୍ମୁ କଶ୍ମୀରରେ ୨ଟି, ମଣିପୁରରେ ଗୋଟିଏ, ମେଘାଳୟରେ ୨ଟି, ମିଜୋରାମରେ ଗୋଟିଏ, ନାଗାଲାଣ୍ଡର ୨ଟି, ତ୍ରିପୁରାର ଗୋଟିଏ,  ପଶ୍ଚିମ ବଙ୍ଗର ୨ଟି, ଆଣ୍ଡାମାନର ଗୋଟିଏ ଏବଂ ଲାକ୍ଷା ଦ୍ୱୀପପୁଞ୍ଜରେ ଗୋଟିଏ ଲୋକସଭା ଆସନ ପାଇଁ ମତଦାନ ଚାଲିଛି। ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ପାଇଁ ମତଦାନ ଚାଲିଛି।

ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ୮ଟିରେ ଆଜି ମତଦାନ ଚାଲିଛି। ଏହି ୮ଟି ଆସନ ମୁଖ୍ୟତଃ ନିର୍ଦ୍ଧାରଣ କରିଥାଆନ୍ତି ୟୁପିରେ କାହାର ସ୍ଥିତି ମଜବୁତ ରହିଛି। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକର ଅଧିକାଂଶ ଭୋଟର ଦଳିତ ଓ ମୁସଲିମ ବର୍ଗର ହୋଇଥିବାରୁ ସମସ୍ତ ରାଜନୈତିକ ଦଳ ଏଠାରେ ନିଜର ସ୍ଥିତି ଜାହିର କରିବା ପାଇଁ ଚେଷ୍ଟା କରିଥାନ୍ତି।

ଆଜି ୯୧ଟି ଲୋକସଭା ଆସନ ପାଇଁ ମତଦାନ ହେଉଥିବା ବେଳେ ୫ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା ହେଉଛି। ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ (ନାଗପୁର), କିରଣ ରିଜ୍ଜୁ (ପଶ୍ଚିମ ଅରୁଣାଚଳ ପ୍ରଦେଶ), ଭି.କେ ସିଂହ ( ଗାଜିଆବାଦ), ସତ୍ୟପାଲ ସିଂହ (ବାଘପତ) ଏବଂ ମହେଶ ଶର୍ମା( ଗୌତମ ବୁଦ୍ଧ ନଗର)। ସେହିପରି ୟୁପି ମହାମେଣ୍ଟରେ ସାମିଲ ଥିବା ଆରଏଲଡିର ମୁଖ୍ୟ ଅଜିତ ସିଂହଙ୍କ ଭାଗ୍ୟ ମଧ୍ୟ ଆଜି ଇଭିଏମ୍‌ରେ ସିଲ୍ ହୋଇଯିବ।

ଦେଶରେ ମୋଟ ୭ ଟି ପର୍ଯ୍ୟାୟରେ ମତଦାନ ହେବ। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଏପ୍ରିଲ ୧୮, ଏପ୍ରିଲ ୨୩, ଏପ୍ରିଲ ୨୯, ମେ ୬, ମେ ୧୨ ଏବଂ ମେ ୧୯ ତାରିଖରେ ପରବର୍ତ୍ତୀ ମତଦାନ ରହିଛି। ମେ’ ୨୩ରେ ଫଳାଫଳ ପ୍ରକାଶ ପାଇବ।