ଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ୪୫ଟି ଟ୍ରେନ୍ ବାତିଲ୍, ୧୬ଟି ଟ୍ରେନ୍ ବିଳମ୍ବ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଘନ କୁହୁଡି ଲାଗି ରହିଥିବାରୁ ଶନିବାର ୪୫ଟି ଟ୍ରେନକୁ ବାତିଲ କରାଯାଇଛି। ସେହିପରି ଦିଲ୍ଲୀ ଦେଇ ଯାଉଥିବା ୧୬ଟି ଟ୍ରେନ ବିଳମ୍ବରେ ଚାଲୁଛି। ବୈଶାଳୀ ଏକ୍ସପ୍ରେସ, ଶାନେ-ଇ-ପଞ୍ଜାବ, ୟୁପି ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ, ମାଲୱା ଏକ୍ସପ୍ରେସ ପରି ୪୫ଟି ଟ୍ରେନକୁ ବାତିଲ କରାଯାଇଛି। ସେହିପରି ଉତ୍ତର ରେଳବାଇ ଶାଖା ପକ୍ଷରୁ ନର୍ଥ ଇଷ୍ଟ ଏକ୍ସପ୍ରେସ, ସୀମାଞ୍ଚଳ ଏକ୍ସପ୍ରେସ ଓ ମହାନନ୍ଦା ଏକ୍ସପ୍ରେସର ଛାଡିବା ସମୟ ପରିବର୍ତ୍ତନ କରାଯାଇଛି।

ପ୍ରତି ବୁଧବାର ଓ ଶନିବାର ନୂଆଦିଲ୍ଲୀ-ଡେରାଡୁନ୍-ନୂଆଦିଲ୍ଲୀ ଜନସପ୍ତାବ୍ଦୀ ଏକ୍ସପ୍ରେସ ଟ୍ରେନକୁ ଗତ ୭ ତାରିଖରୁ ଫେବୃୟାରୀ ୨୮ ତାରିଖ ଯାଏଁ ବାତିଲ କରାଯାଇଛି। ପାଗ ପରିବର୍ତ୍ତନ ହେଲେ ନୂତନ ସିଡ୍ୟୁଲ ପ୍ରକାଶିତ ହେବ ବୋଲି ଉତ୍ତର ରେଳବାଇ ଶାଖା ପକ୍ଷରୁ ସୂଚନା ଦିଆଯାଇଛି।

ଘନ କୁହୁଡି ଯୋଗୁଁ ୧୬ ଟ୍ରେନର ବିଳମ୍ବରେ ଚାଲୁଛି। ପୂରର୍ଭା ଏକ୍ସପ୍ରେସ ୭ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ ଗୋମତି ୫ ଘଣ୍ଟା, ଗରିବ ରଥ ୫ ଘଣ୍ଟା ଓ ବିକ୍ରମଶିଲା ଏକ୍ସପ୍ରେସ ୩ ଘଣ୍ଟା ବିଳମ୍ବରେ ଚାଲୁଛି। ଏଥିପାଇଁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।