ବର ପହଞ୍ଚିବା ପୂର୍ବରୁ କନିଆର ପ୍ରେମିକ ସହ ଆତ୍ମହତ୍ୟା

ନୂଆଦିଲ୍ଲୀ: ପୁଣି ଦେଖିବାକୁ ମିଳିଲା ପ୍ରେମର କରୁଣ ପରିଣିତି। ଉତ୍ତର ପ୍ରଦେଶର ଫତେପୁର ଜନପଦର ହୁସେନଗଞ୍ଜ କ୍ଷେତ୍ରର ଜଣେ ଯୁବତୀ ନିଜ ବାହାଘର ଦିନ ବର ଆସିବା ପୂର୍ବରୁ ପ୍ରେମିକ ସହ ଫାଶୀ ଲଗାଇଦେଇଥିବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ଦୁଇଜଣଙ୍କ ମୃତ ଦେହ ଗାଁ ବାହରେ ଜଙ୍ଗଲରୁ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ ହୁସେନଗଞ୍ଜ ଥାନା ଅନ୍ତର୍ଗତ ଉଚକାପୁର ଗାଁର ଜଣେ ଯୁବତୀ ନିଜ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ‌ଉଭୟଙ୍କ ସମ୍ପର୍କ ବିଷୟରେ ତାଙ୍କ ପରିବାର ଲୋକେ ଜାଣିଦେଇଥିଲେ। ପୁଅ ଘର ବାହାଘର ପାଇଁ ରାଜି ହୋଇଥିଲେ। ହେଲେ ଝିଅ ଘର ରାଜି ହୋଇ ନଥିଲେ। ଏହାସତ୍ୱେ ବି ପ୍ରେମୀଯୁଗଳ ପରସ୍ପର ସହ ଦେଖା କରୁଥିଲେ। ଏହାମଧ୍ୟରେ ଝିଅର ପରିବାର ଲୋକେ ଝିଅର ବାହାଘର ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ଜଣେ ଯୁବକ ସହ ସ୍ଥିର କରିଦେଇଥିଲେ। ଗତ ଶନିବାର ଦିନ ଥିଲା ବାହାଘର। ଘରେ ବରକୁ ସ୍ୱାଗତ କରିବା ଲାଗି ପ୍ରସ୍ତୁତି ଚାଲିଥାଏ। ଏହାଭିତରେ ଝିଅ ମଉକା ଦେଖି ଘରୁ ଖସି ପଳାଇଥିଲେ। ପରଦିନ ସକାଳେ ଗାଁ ଲେକେ ଏହି ପ୍ରେମୀଯୁଗଳଙ୍କ ଶବ ଫାଶିରେ ଝୁଲୁଥିବା ଜଙ୍ଗଲରେ ଦେଖିଥିଲେ।
ଏହି ଖବର ପ୍ରଚାର ହେବା ମାତ୍ରେ ସେଠାରେ ଭଡ଼ ଜମିଯାଇଥିଲା। ପରଦିନ ସୂଚନା ମିଳିବାରୁ ପୋଲିସ ମଧ୍ୟ ପହଞ୍ଚିଥିଲା। ପୋଲିସ ଶବ ଦୁଇଟି ଉଦ୍ଧାର କରି ପୋଷ୍ଟମାର୍ଟମ ପାଇଁ ପଠାଇଥିଲା।
ତଦନ୍ତ ପରେ ଜଣା ପଡ଼ିଥିଲା ଯେ ଦୁହେଁ ୩ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ। ଉଭୟ ଏକାଠି ନ ହୋଇପାରିବାରୁ ଜୀବନ ହାରିଦେଲେ।