ବାପାଙ୍କୁ ଚୁନା ଲଗାଇବାକୁ ଝିଅ ରଚିଲା ଅପହରଣ ନାଟକ: ପଢ଼ନ୍ତୁ ଶେଷ ଅଧ୍ୟାୟ

ନୋଏଡ଼ା: ପଇସା ପାଇଁ ଅପହରଣ । ବାପାଙ୍କ ଠାରୁ ଟଙ୍କା ହାସଲ କରିବାକୁ ନିଜ ରଚିଲେ ନିଜର ଅପହରଣ ନାଟକ। ଏ ଅପହରଣର ନାୟିକା ଥିଲେ ଜଣେ ଯୁବତୀ। ଏମତି ଏକ କୌତୁହଳପୂର୍ଣ୍ଣ ଖବର ଆସିଛି ଉତ୍ତରପ୍ରଦେଶରୁ।

ସବୁବେଳେ ଇଞ୍ଜନିୟରିଂ ପିଲାମାନେ ନୂଆ ନୂଆ କାମ କରି ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ  ଉତ୍ତରପ୍ରଦେଶର ୨୦ବର୍ଷିୟ ଇଞ୍ଜିନିୟରିଂ ଛାତ୍ରୀ ମୁସ୍କାନ୍‌ ଏମିତି କିଛି କାମ କରିଛନ୍ତି ଯାହା ତାଙ୍କୁ ଲଜ୍ଜିତ କରିଛି ପୂରା ସମାଜ ଆଗରେ। ନୋଏଡ଼ାର ଏକ ଇଞ୍ଜିନିୟରିଂ କଲେଜ୍‌ରେ ପଢୁଥିବା ମୁସ୍କାନ ରୁହନ୍ତି ହଷ୍ଟେଲରେ। ଟଙ୍କାର ମୋହ ତାଙ୍କୁ ଏମିତି ଅନ୍ଧ କରିଥିଲା ଯେ ନିଜ ସାଙ୍ଗଙ୍କ ସହ ମିଶି  ରଚିଥିଲେ ନିଜ ଅପହରଣର ନାଟକ । ଆଉ କିଛି ସମୟ ମଧ୍ୟରେ ମୁସ୍କାନଙ୍କ ଫୋନରୁ ଦୁଇଟି ମେସେଜ ଆସିଥିଲା ବାପା ଶିବ ଅଗ୍ରୱାଲଙ୍କ ପାଖକୁ।  ମେସେଜ ଦେଖିବା ପରେ ଝିଅ ଅପହରଣ ହୋଇଛି ଜାଣିଥିଲେ ଶିବ। ଅପହରଣକାରୀ ଝିଅକୁ ଛାଡିବା ବଦଳରେ ୧୦ ଲକ୍ଷ ଟଙ୍କାର ଡିମାଣ୍ଡ କରିଥିଲେ। ଆଉ ବାପା ଶିବ ଅଗ୍ରୱାଲ ଫଶି ଯାଇଥିଲେ ଝିଅର ଚକ୍ରବ୍ୟୁହରେ। ତେବେ ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିବା ପୂର୍ବରୁ ପୋଲିସକୁ ଜଣାଇଥିଲେ ଶିବ।

ବାସ୍ ଏଇଠୁ ପୋଲିସ ଆରମ୍ଭ କରିଥିଲା ଚକ୍ରବ୍ୟୁହ ଭେଦ କରିବାର ଯୋଜନା। ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିଥିଲେ ଶିବ ସତ, ହେଲେ ପୋଲିସ ବିଛାଇଥିବା ମାୟାଜାଲରେ ଫଶିଯାଇଥିଲେ ମୁସ୍କାନଙ୍କ ସାଙ୍ଗ। ଟଙ୍କା ଉଠାଇବା ବେଳେ ବ୍ୟାଙ୍କ ସିସିଟିଭିରେ କଏଦ୍‌ ହୋଇଥିଲା  ଦୁଇ ଅଭିଯୁକ୍ତଙ୍କ ଫଟୋ । ତା’ପରେ ପୋଲିସ ଖୋଳତାଡ଼ କରି ମୁସ୍କାନଙ୍କ ଦୁଇ ସାଙ୍ଗକୁ ଗିରଫ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ଓ ପରଦା ଉଠିଥିଲା ଅପହରଣ ଘଟଣା ଉପରୁ।

ପୋଲିସ ପାଖରେ ଅପହୃତା ନାୟିକା ମୁସ୍କାନର ବୟାନ ଶୁଣି ସମସ୍ତ ତାଜୁବ ହୋଇଯାଇଥିଲେ। ନିଜ ସାଙ୍ଗ ପାଖରୁ ଆଣିଥିବା ୪ ଲକ୍ଷ ଟଙ୍କା ଶୁଝିବା ପାଇଁ ମୁସ୍କାନ ରଚିଥିଲା ଅପହରଣର ନାଟକ। ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ୪ ଜଣକ ନାମରେ କେସ୍‌ କରି ପଚରାଉଚରା  କରୁଛି ଉତ୍ତରପ୍ରଦେଶର ସ୍ପେଶାଲ ପୋଲିସ।

Courtesy: Hindustan times

Photo- mirror.co.uk