ହୃଦୟ ବିଦାରକ: କୋର୍ଟରେ ପ୍ରମାଣ ପାଇଁ ବଳାତ୍କାରର ଦୃଶ୍ୟ ଆଙ୍କିଲେ ନାବାଳିକା

ନୂଆଦିଲ୍ଲୀ: ହୃଦୟ ବିଦାରକ ଘଟଣା। ବଳାତ୍କାରରେ ଶିକାର ହୋଇଥିବା ଜଣେ କୁନି ଝିଅକୁ ଶେଷରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଛି। ଘଟଣା ସମ୍ପର୍କରେ ପ୍ରମାଣିତ କରିବାକୁ ଯାଇ ସମ୍ପୃକ୍ତ ନାବାଳିକା ଜଣକୁ ବଳାତ୍କାରର ଦୃଶ୍ୟ ଚିତ୍ର ମାଧ୍ୟମରେ  ଆଙ୍କିବାକୁ ପଡ଼ିଛି। କୋର୍ଟଙ୍କ ଅବଗତି ନିମନ୍ତେ ସେ ଏଭଳି କରିଛନ୍ତି। ଅବଶ୍ୟ ଏହା  କୋର୍ଟଙ୍କ ନିର୍ଦ୍ଦେଶ ହୋଇ ନ ଥିଲେ ମଧ୍ୟ ସମ୍ପୃକ୍ତ ବାଳିକା ଜଣକ ଏପରି କରିବାକୁ ବାଧ୍ୟ ହୋଇଥିଲେ। ଏହି ଚିତ୍ରକୁ ଦେଖି ଅଦାଲତ ଝିଅଟି ଜୀବନରେ ଘଟିଥିବା ଅଘଟଣକୁ ହୃଦୟଙ୍ଗମ କରିଥିଲେ। ଆଉ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ  ତାଙ୍କୁ ୫ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ଘଟଣାଟି ଏମିତି। ପୀଡ଼ିତା ଜଣକର ଘର ହେଉଛି କୋଲକତାରେ। ଝିଅଟିକୁ ଏବେ ୧୦ ବର୍ଷ ହୋଇଥିବା ବେଳେ ୮ ବର୍ଷ ବେଳକୁ ତା’ ମା’ର ମୃତ୍ୟୁ ଘଟିଥିଲା। ମା’ର ମୃତ୍ୟୁ ପରେ ଝିଅକୁ ଏକାଛାଡ଼ି ତାର ବାପା କୁଆଡ଼େ ଫେରାର ହୋଇଯାଇଥିଲେ। ଝିଅଟି ଦୁଃଖ ଦେଖି ତାର ମାଇଁ ତାକୁ ନିଜ ଘରକୁ ନେଇଯାଇଥିଲେ। ସେହି ଅନୁଯାୟୀ ୨୦୧୪ରେ  ଝିଅଟି କୋଲକତାରୁ ଆସି ଦିଲ୍ଲୀରେ ନିଜ ମାମୁଁ ଘରେ ରହିଲା। ହେଲେ ସେଠାରେ ଦୁ‍ଃଖ କମିବା ପରିବର୍ତ୍ତେ ଆହୁରି ବଢିବାରେ ଲାଗିଲା। ମାତ୍ର ୮ ବର୍ଷ ବୟସରେ ଝିଅଟିକୁ ନିଜ ମାମୁଁ  ଅଖ୍‌ତାର ଅହମ୍ମଦ ସେଠାରେ ବାରମ୍ବାର ଯୌନ ନିର୍ଯାତନା ଦେଲେ।

ଖାଲି ସେତିକି ନୁହେଁ ତାଙ୍କ ମାଇଁ ତାଙ୍କୁ ଅନ୍ୟ ଘରେ ଚାକରାଣୀ ହିସାବରେ କାମରେ ଲଗାଇଲେ।  ତେବେ ମାମୁଁର ନିର୍ଯାତନାରେ ଅତିଷ୍ଟ ହୋଇ ଦିନେ ସମ୍ପୃକ୍ତ ନାବାଳିକା ଘର ଛାଡ଼ି ପଳାଇ ଆସିଥିଲେ। ନାବାଳିକା ଆସି ଏକ ବସରେ ବସି କାନ୍ଦୁ ଥିବା ବେଳେ କଣ୍ଡକ୍ଟରଙ୍କ ନଜରରେ ପଡ଼ିଥିଲେ । ବସ୍‌ କଣ୍ଡକ୍ତର ତାଙ୍କୁ ସବୁ କଥା ପଚାରିଥିଲେ ମଧ୍ୟ କିଛି କହିବା ପରିରସ୍ଥିତିରେ ନ ଥିଲେ ସମ୍ପୃକ୍ତ ନାବାଳିକା। ପରେ ଝିଅଟିକୁ ସେ ସ୍ଥାନୀୟ ପୋଲିସ ନିକଟରେ ହସ୍ତାନ୍ତର କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ମାମୁଁ(୪୫)ଙ୍କୁ ଗତ ଜୁନ୍‌ ମାସରେ  ଗିରଫ କରିଥିଲା। ମାମଲାଟି ଦିଲ୍ଲୀର ଆଡ଼ିଶନାଲ ସେସନ୍‌ କୋର୍ଟରେ ଶୁଣାଣି ହୋଇଥିଲା। ତେବେ ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ କହିଥିଲେ ତାଙ୍କ କ୍ଲାଏଣ୍ଟଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ସେ ବଳାତ୍କାର କରିଥିବା କୌଣସି ପ୍ରମାଣ ନାହିଁ ବୋଲି କହିଥିଲେ।

ଅପରପକ୍ଷରେ ଘଟଣାକୁ ପ୍ରମାଣିତ କରିବାକୁ ଯାଇ ତାଙ୍କ ମାମୁଁ ଯେଭଳି ଯୌନ ନିର୍ଯାତନା ଦେଇଥିଲେ ଏହାର ଗୋଟି ଗୋଟି ଦୃଶ୍ୟକୁ ଚିତ୍ରରେ ଆଙ୍କିଥିଲେ ସମ୍ପୃକ୍ତ ପୀଡ଼ିତା। ଆଉ ଅଙ୍କା ଯାଇଥିବା ଚିତ୍ରରେ ଝିଅଟି କାନ୍ଦୁଥିବାର ଦୃଶ୍ୟ ବିଚାରପତିଙ୍କୁ ବେଶ ପ୍ରଭାବିତ କରିଥିଲା। ଝିଅଟି ସ୍କେଚକୁ ଦେଖି ଘଟଣାର ସତ୍ୟତା ଥିବା କୋର୍ଟ କହିଥିଲେ। ଆଉ ଅଭିଯୁକ୍ତଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ନାବାଳିକାଟି ଏବେ ଦିଲ୍ଲୀର ଏକ ସର୍ଟ ଷ୍ଟେ ହୋମ୍‌ରେ  ରହି ପାଠ ପଢୁଛି।

ସୌଜନ୍ୟ-ଟାଇମ୍‌ସ୍‌ ଅଫ ଇଣ୍ଡିଆ