ମୁଖ୍ୟମନ୍ତ୍ରୀ ଫେଲ୍: ହାରିଗଲେ ହରିଶ, ଲୋଟିପଡ଼ିଲେ ଲକ୍ଷ୍ମୀକାନ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଓ ଉତ୍ତରାଖଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିଛି ଅନେକ ବିପର୍ଯ୍ୟୟ। ଉତ୍ତର ପ୍ରଦେଶରେ ଏସ୍‌ପି, ବିଏସ୍‌ପିର ବହୁ ବଡ଼ ବଡ଼ ନେତା ଚିତ୍ ହୋଇଥିବା ବେଳେ ପଞ୍ଜାବରେ ଶିରୋମଣି ଅକାଳି ଦଳର ଅନେକ ନେତାକୁ ଧୂଳିଚାଟିବାକୁ ପଡ଼ିଛି। ଉଭୟ ଦଳ ନିଜ ନିଜ ରାଜ୍ୟରେ କ୍ଷମତାରେ ଥିଲେ। ତେବେ ଏତିକିରେ କଥା ସରିନି। ଦୁଇ ଜଣ ମୁଖ୍ୟମନ୍ତ୍ରୀ ବି ନିର୍ବାଚନ ହାରି ଯାଇଛନ୍ତି। ଉତ୍ତରାଖଣ୍ଡରେ ସରକାରରେ ଥିବା କଂଗ୍ରେସ ଏକ ପ୍ରକାର ସଫା ହୋଇଯାଇଥିବା ବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ହରିଶ ରାୱତ ହାରି ଯାଇଛନ୍ତି। ସେ ଦୁଇ ଦୁଇଟି ଆସନରୁ ପ୍ରାର୍ଥୀ ହୋଇ ମଧ୍ୟ ଭୋଟରଙ୍କ ଆସ୍ଥା ଜିଣିବାରେ ବିଫଳ ହୋଇଛନ୍ତି। ସେ କିଚ୍ଛା ଓ ହରିଦ୍ୱାର ରୁରାଲ୍ ଆସନରୁ ପ୍ରାର୍ଥୀ ହୋଇଥିଲେ। ସେହିପରି ଗୋଆ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀକାନ୍ତ ପାର୍ସେକର ମଧ୍ୟ ନିର୍ବାଚନ ହାରି ଯାଇଛନ୍ତି। ଏଠାରେ ବିଜେପି ପୂର୍ବସ୍ଥିତିକୁ ବଜାୟ ରଖିବାରେ ବିଫଳ ହୋଇଛି।