ଗୋଧ୍ରା ଟ୍ରେନ ପୋଡ଼ିକୁ ପୁରିଲା ୧୬ ବର୍ଷ, ଜୀବନ୍ତ ଜଳି ଯାଇଥିଲେ ୫୯ ଯାତ୍ରୀ

ନୂଆଦିଲ୍ଲୀ : ଆଜିର ଦିନରେ ୨୦୦୨ ମସିହା ଫେବୃୟାରୀ ୨୭ ତାରିଖରେ ଘଟିଥିଲା ଗୋଧ୍ରା ଟ୍ରେନ ପୋଡ଼ି ଘଟଣା। ଗୁଜରାଟର ଗୋଧ୍ରା ରେଲୱେ ଷ୍ଟେସନ ନିକଟରେ ଘଟିଥିଲା ଏହି ଜଘନ୍ୟକାଣ୍ଡ। ସାବରମତି ଏକ୍ସପ୍ରେସର ଏସ-୬ ବଗିରେ ପୋଡ଼ି ହୋଇ ୫୯ଜଣ ଲୋକ ଜୀବନ୍ତ ଜଳିଯାଇଥିଲେ।  ମୃତକଙ୍କ ମଧ୍ୟରେ ୨୪ ଜଣ ପୁରୁଷ ୧୫ ଜଣ ମହିଳାଙ୍କ ସମେତ ୨୦ ଜଣ ଶିଶୁ ଥିଲେ। ଏହି ବଗିରେ କରସେବକ ମାନେ ଯାତ୍ରା କରୁଥିଲେ। ଅଯୋଧ୍ୟାର ବିବାଦୀୟ ରାମ ଜନ୍ମଭୂମିସ୍ଥଳରୁ କରସେବା ସାରି ଟ୍ରେନ୍‌ରେ ଫେରୁଥିବା ବେଳେ ନିଆଁ ଲାଗାଇ ଦିଆଯାଇଥିଲା। ଏହି ଘଟଣା ପରେ ଗୁଜରାଟରେ  ଭୟଙ୍କର ଦଙ୍ଗା ଉପୁଜିଥିଲା।

ଏହାର ତଦନ୍ତ ପାଇଁ ଗୁଜରାଟ ସରକାର ନାନାବତୀ  ଓ ଶାହ ଖଣ୍ଡପୀଠ ଗଠନ କରିଥିଲେ। ଏହି କମିଶନ ତଦନ୍ତର ସମୂର୍ଣ୍ଣ ରିପୋର୍ଟ ଦାଖଲ କରିବା ପାଇଁ ଦୀର୍ଘ ୬ ବର୍ଷ ସମୟ ନେଇଥିଲେ। ସେ ଦର୍ଶାଇଥିଲେ ଯେ,ଏହି ଘଟଣା ପ୍ରାୟ ୧୦୦୦ରୁ ୨୦୦୦ ଆତଙ୍କ ସୃଷ୍ଟିକାରୀଙ୍କ ଦ୍ୱାରା ଘଟାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ମଧ୍ୟ ଏକ ଖଣ୍ଡପୀଠ ଗଠିତ ହୋଇଥିଲା।  ଯାହା ପରେ ଅଣସମ୍ବିଧାନିକ ଦର୍ଶାଇ ହଟାଇ ଦିଆଯାଇଥିଲା। ପରବର୍ତ୍ତୀ ଖଣ୍ଡପୀଠ ଦର୍ଶାଇ ଥିଲେ ଯେ, ଘଟଣା ସ୍ୱାଭାବିକ ଦୁର୍ଘଟଣା ଥିଲା। ପରେ ନ୍ୟାୟାଳୟ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟର ୩୧ ଜଣ ଅଭିଯୁକ୍ତଙ୍କୁ ଏହି ଅପରାଧ ଘଟାଇଥିବା ଦୋଷରେ ଦୋଷୀ ସାବ୍ୟସ୍ତ କରିଥିଲେ ।