ଗୋଲ୍ଡ ମୋନେଟାଇଜେସନ୍ ସ୍କିମରେ ୩୫ କିଲୋ ସୁନା ନିବେଶ କରିବ ସୋମନାଥ ମନ୍ଦିର

ଅହମଦାବାଦ: ସୋମନାଥ ମନ୍ଦିରରେ ଗଚ୍ଛିତ ସୁନାରୁ ୩୫ କିଲୋଗ୍ରାମ କେନ୍ଦ୍ର ସରକାରଙ୍କ ଗୋଲ୍ଡ ମୋନେଟାଇଜେସନ୍ ଯୋଜନାରେ ନିବେଶ କରାଯିବ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଟ୍ରଷ୍ଟର ସଚିବ ପି.କେ ଲାହିଡି କହିଛନ୍ତି, ଏହି ୩୫ କିଲୋ ସୁନା ଶୁଦ୍ଧ ଅବା ଗହଣା ଭାବେ ରହିଛି। ଗଚ୍ଛିତ ସୁନା ମଧ୍ୟରୁ ଅଧିକାଂଶକୁ ମନ୍ଦିର ସଜାଇବାରେ ବ୍ୟବହାର କରାଯାଏ। ତେବେ ଉକ୍ତ ୩୫ କିଲୋ ସୁନାକୁ ଆମେ ମନ୍ଦିର ଦୈନଦିନ କାର୍ଯ୍ୟରେ ଲଗାଇପାରିବୁ ନାହିଁ। ସେଥିପାଇଁ ଏହି ସୁନାକୁ ଗୋଲ୍ଡ ମୋନେଟାଇଜେସନ୍ ସ୍କିମରେ ନିବେଶ କରିବାକୁ ଆମେ ନିଷ୍ପତ୍ତି ନେଇଛୁ।

ସୂଚନାଯୋଗ୍ୟ, ଗୁଜରାଟ ସୋମନାଥ ମନ୍ଦିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ରାଜନେତା ଟ୍ରଷ୍ଟି ଅଛନ୍ତି।

ଏହା ପୂର୍ବରୁ ସିଦ୍ଧିବିନାୟକ ମନ୍ଦିର ୪୦ କିଲୋଗ୍ରାମ ସୁନା ଗୋଲ୍ଡ ମୋନେଟାଇଜେସନ୍ ସ୍କିମରେ ଲଗାଇବାକୁ ନିବେଶ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିରୁ ମନ୍ଦିକୁ ୬୯ ଲକ୍ଷ ଟଙ୍କା ମିଳିବ ବୋଲି ଆଶା କରାଯାଉଛି।

କେନ୍ଦ୍ରର ମୋଦି ସରକାର ଦେଶରେ ବେକାର ପଡିଥିବା ୧୦୦୦ ଆରବ ଡଲାର ମୂଲ୍ୟର ସୁନାକୁ ବଜାରକୁ ଆଣିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ସମସ୍ତଙ୍କ ନଜର ରହିଛି ବଡ଼ ବଡ଼ ସୁନାର ଭଣ୍ଡାର ଥିବା ମନ୍ଦିର ଗୁଡ଼ିକ ଉପରେ।