ଗୋମାଂସ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଉଥିବା ନେତାଙ୍କୁ ଅମିତ ଶାହାଙ୍କ ଚେତାବନୀ

ନୂଆଦିଲ୍ଲୀ: ଗୋମାଂସ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଉଥିବା ହରିଆଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ୍ ଖଟାର, କେନ୍ଦ୍ରୀୟ ମନ୍ତ୍ରୀ ମହେଶ ଶର୍ମା, ବିଧାୟକ ସଙ୍ଗୀତ ସୋମ ଏବଂ ସାଂସଦ ସାକ୍ଷୀ ମହାରାଜଙ୍କୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଚେତାବନୀ ଦେଇଛନ୍ତି। ଅମିତ ଶାହା ଆଜି ସେମାନଙ୍କୁ ଦିଲ୍ଲୀସ୍ଥିତ ବାସଭବନକୁ ଡାକି ଥିଲେ। ଅମିତ ସେମାନଙ୍କୁ କହିଥିଲେ ଯେ ଗୋମାଂସ ନେଇ ସେମାନଙ୍କ ବୟାନ ବାଜିରେ ପ୍ରଧାନମନ୍ତ୍ରୀ କ୍ଷୁବ୍ଧ ଅଛନ୍ତି।

ଆଗାମୀ ଦିନରେ ଆଉ ଗୋମାଂସ ନେଇ  ସେଭଳି କୌଣସି ମନ୍ତବ୍ୟ ନ ଦେବାକୁ  ସେ ଏହି ନେତା ମାନଙ୍କୁ ସତର୍କ କରାଇ ଦେଇଥିଲେ। ତେବେ ଅମିତ ଶାହାଙ୍କ ସହିତ ଆଲୋଚନା କରି ଫେରିବାପରେ ଏହି ନେତାମାନେ ଏସମ୍ପର୍କରେ କିଛି କହି ନ ଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ସାକ୍ଷୀ ମହାରାଜ କହିଥିଲେ ଯେ, ଯେଉଁମାନେ ଗୋମାଂସ ଖାଉଛନ୍ତି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇ ଦେବା ଉଚିତ। ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟାର କହିଥିଲେ ଯେ, ଭାରତରେ ରହିବାକୁ ହେଲେ ମୁସଲମାନ ମାନଙ୍କୁ ଗୋମାଂସ ଛାଡିବାକୁ ହେବ।