ଚାକିରି ଖୋଜୁଛନ୍ତି କି? ଗୁଗଲ୍‌ ଆପଣଙ୍କ ପାଇଁ ଆଣିଛି ନୂଆ ସର୍ଚ୍ଚ ଇଞ୍ଜିନ୍‌

ନୂଆଦିଲ୍ଲୀ: ଚାକିରିଟିଏ ଖୋଜିବା ଛୋଟିଆ କଥା ନୁହେଁ। ଦିନ ଥିଲା ଚାକିରି ଖୋଜି ଖୋଜି ଚପଲ ଘୋରି ହୋଇଯାଉଥିଲା। କହିଲେ ଦେଖି , କଥାଟା ସତ ନା ମିଛ? କଥାଟା ସତ। ହେଲେ ଆଜ୍ଞା ଯୁଗ ବଦଳିଲାଣି। ଏବେ ଚାକିରି ଖୋଜିବା ଆଉ କାଠିକର ପାଠ ହୋଇ ରହି ନାହିଁ।

ଆପଣ ଚାକିରି ଖୋଜୁଛନ୍ତି କି ? ତା’ହେଲେ ବ୍ୟସ୍ତ ହୁଅନ୍ତୁନି। ଗୁଗଲ ଆପଣଙ୍କ ପାଇଁ ନୂଆ ସର୍ଚ୍ଚ ଇଞ୍ଜିନ୍‌ ଲଞ୍ଚ୍ କରିଛି। ‌ଏଥିରେ ଆପଣ ଅନାୟାସରେ ଚାକିରି ଖୋଜିପାରିବେ। ଆଉ ଏହି ନୂଆ ସର୍ଚ୍ଚ ଇଞ୍ଜିନ୍‌ର ନାଁ ହେଉଛି “google job search tool”। ଏଥିପାଇଁ କମ୍ପାନୀ ଅନେକ ଜବ୍ ଏଜେନ୍‌ସି ସହିତ ଭାଗିଦାରୀ କରିଛି। ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କୁ ଭିନ୍ନ ଭିନ୍ନ ପୋର୍ଟାଲରେ ଚାକିରି ପାଇଁ ଆବେଦନ କରିବାକୁ ଏହାଦ୍ୱାରା ସାହାଯ୍ୟ ମିଳିବ। ଏହି ଟୁଲ୍‌ ଜରିଆରେ ଆଶାୟୀ ପ୍ରାର୍ଥୀମାନେ ଲୋକପ୍ରିୟ ୱେବସାଇଟ୍‌ ଓ କମ୍ପାନୀ ଗୁଡ଼ିକରେ ଖାଲିଥିବା ପଦବୀ ବିଷୟରେ ମଧ୍ୟ ଜାଣିପାରିବେ।

ଦିଲ୍ଲୀରେ ହୋଇଥିବା ଏକ ପ୍ରେସ୍‌ କନଫରେନ୍‌ସରେ ଗୁଗଲ ଇଣ୍ଡିଆର ଭାଇସ୍‌ ପ୍ରେସିଡେଣ୍ଟ କହିଛନ୍ତି, ଲୋକମାନେ ଚାକିରି ଖୋଜିବା ପାଇଁ ଅନେକ ପରିଶ୍ରମ କରନ୍ତି। ଗତ ବର୍ଷ ଗୁଗଲରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ସଂଖ୍ୟାରେ ୪୫ ପ୍ରତିଶତ ବୃଦ୍ଧି ହୋଇଥିବା ଦେଖି କମ୍ପାନୀ ଏପରି ପଦକ୍ଷେପ ନେଇଛି। ଏହାଦ୍ୱାରା ଲୋକଙ୍କୁ ଚାକିରି ଖୋଜିବାରେ ସହାୟତା ମିଳିବ।