ଗୁଗଲର ଘୋଷଣା: ଏବେ ସ୍କୁଲ ପିଲା ପଢ଼ିବେ ଇଣ୍ଟରନେଟ୍‌ ସୁରକ୍ଷାର ପାଠ

ନୂଆଦିଲ୍ଲୀ: ସମସ୍ତଙ୍କ ପାଇଁ ୱେବକୁ ଏକ ସୁରକ୍ଷିତ ସ୍ଥାନ ଭାବେ ଗଢ଼ି ତୋଳିବା ପାଇଁ ଗୁଗଲ ଉଦ୍ୟମ ଚଳାଇଛି। ଏଥିପାଇଁ ଗୁଗଲ ଇଣ୍ଡିଆ ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ସହିତ ମିଶି ସ୍କୁଲରେ ପଢ଼ାଯାଉଥିବା ଇନ୍‌ଫରମେସନ୍ ଏଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି ପାଠ୍ୟକ୍ରମରେ ‘ଡିଜିଟାଲ ନାଗରିକତା ଓ ସୁରକ୍ଷା’ ନାମକ ଏକ ବିଷୟ ଯୋଡ଼ିବାକୁ ଘୋଷଣା କରିଛି।

ଦେଶର ୧୪ ଲକ୍ଷ ସ୍କୁଲରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଇଣ୍ଡରନେଟ୍‌ ସୁରକ୍ଷାର ସାମାଜିକ, ନୈତିକ ଓ ଆଇନଗତ ଦିଗ ସମ୍ପର୍କରେ ପାଠ ପଢ଼ାଯିବ। ଏହାଦ୍ୱାରା ପିଲାମାନେ ଇଣ୍ଟରନେଟ୍‌ର ସଦୁପୋଯୋଗ କରିବା ସହିତ ଭବିଷ୍ୟତରେ ଦାୟିତ୍ୱ ସମ୍ପନ୍ନ ଡିଜିଟାଲ ନାଗରିକ ହୋଇ ପାରିବେ। ଏଥିସହିତ କମ୍ପାନୀ ଶିକ୍ଷକମାନଙ୍କ ପାଇଁ ମଧ୍ୟ ଏକ ପାଠ୍ୟକ୍ରମ ତିଆରି କରିଛି। ଯାହାଫଳରେ ଶି‍କ୍ଷକମାନେ ପିଲାମାନଙ୍କୁ ଡିଜିଟାଲ ନାଗରିକ ପାଠ୍ୟକ୍ରମ ବିଷୟରେ ସହଜରେ ପଢ଼ାଇ ପାରିବେ।

ଅନଲାଇନ୍‌ ଦୁନିଆରେ ସୁରକ୍ଷିତ  ରହିବା ପାଇଁ ଆବଶ୍ୟକୀୟ ସୂଚନା ଦେବା ଆମର ଉଦ୍ଦେଶ୍ୟ ବୋଲି ଗୁଗଲ ଇଣ୍ଡିଆର ନିର୍ଦ୍ଦେଶକ ସୁନୀତ ମୋହନୀ କହିଛନ୍ତି। ସିଆଇଟି(କେନ୍ଦ୍ରୀୟ ଶୈକ୍ଷିକ ପ୍ରାଦ୍ୟୋଗିକ ସଂସ୍ଥାନ) ଓ ଏନ୍‌ସିଇଆର୍‌ଟିର ସଂଯୁକ୍ତ ନିର୍ଦ୍ଦେଶକ ଅମରେନ୍ଦ୍ର ବେହରା ମଧ୍ୟ ଗୁଗଲର ଏହି ଉଦ୍ୟମକୁ ସ୍ୱାଗତ କରିଛନ୍ତି।