ମୁମ୍ବାଇରୁ ଗୋରଖପୁର ଯିବା ବଦଳରେ ରାଉରକେଲାରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସହ ଏକ କୌତହଳପୂର୍ଣ୍ଣ ଘଟଣା ଘଟିଛି। ମୁମ୍ବାଇରୁ ମେ’ ୨୧ ତାରିଖରେ ଉତ୍ତର ପ୍ରଦେଶର ଗୋରଖପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ବାଟ ହୁଡ଼ି ଓଡ଼ିଶାର ରାଉରକେଲାରେ ପହଞ୍ଚି ଯାଇଛି। ଟ୍ରେନଟି ବାଟ ହୁଡ଼ିଥିଲେ ହେଁ ଏହା ମଧ୍ୟରେ ଥିବା ଶ୍ରମିକମାନେ ଏ ସମ୍ପର୍କରେ କୌଣସି ଟେର ମଧ୍ୟ ପାଇ ନଥିଲେ।

ତେବେ କିଛି ପ୍ୟାସେଞ୍ଜର ଘଟଣାସ୍ଥଳର ଭିଡିଓ ଟ୍ୱିଟରେ ଶେୟାର କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀରେ ଥିବା ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କିନ୍ତୁ ଘଟଣାରେ ତାଳି ପକାଇବାକୁ ଉଦ୍ୟମ କରିଛନ୍ତି।

ସେ କହିଛନ୍ତି, “ଆମେ କିଛି ଶ୍ରମିକ ଟ୍ରେନକୁ ଡାଇର୍ଭଟ ରୁଟ୍‌ରେ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛୁ। କିଛି ଟ୍ରେନକୁ ଗହଳୀ ପାଇଁ ରାଉରକେଲା ଦେଇ ବିହାର ଅଭିମୁଖେ ଛଡ଼ା ଯାଇଛି।”

ଅନ୍ୟପକ୍ଷରେ ୱେଷ୍ଟର୍ଣ୍ଣ ରେଳବାଇ ମୁଖପାତ୍ର ରବୀନ୍ଦ୍ର ଭାକର ଏକ ବିବୃତି ଜାରି କରି କହିଛନ୍ତି, “ଭସାଇ ରୋଡ-ଗୋରଖପୁର ଶ୍ରମିକ ସ୍ପେଶାଲ ଟ୍ରେନ ମେ’ ୨୧ ତାରିଖରେ ଛାଡ଼ିଥିଲା। ଏହା କଲ୍ୟାଣ-ଜଲଗାଓଁ-ଭୁସାଭଲ-ଖଣ୍ଡୱା-ଇତ୍ରସି-ଯବଲପୁର-ମନିକପୁର ଦେଇ ଗୋରଖପୁର ଯିବାର ଥିଲା। ତେବେ ଏହା ବିଲାସପୁର, ଝାରସୁଗୁଡ଼ା,ରାଉରକେଲା,ଅଦ୍ରା,ଆସୋନସଲ ଦେଇ ଯାତ୍ରା କରିବ। ପୂର୍ବ ରାସ୍ତା ଗୁଡ଼ିକରେ ଟ୍ରାଫିକ ଜାମ ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି।

ପ୍ରଥମଥର ପାଇଁ ରେଳବାଇ ଇତିହାସରେ ଯାତ୍ରୀଙ୍କୁ ବିନା ସୂଚନାରେ ଟ୍ରେନର ଗତିପଥ ବଦଳାଯିବା ଭଳି ଘଟଣା ଘଟିଛି। ଏପରି କି ଏହି ରାସ୍ତାରେ ଗଲେ କେତେ ସମୟ ଲାଗିବ, ସେ ବିଷୟରେ ମଧ୍ୟ ରେଳବାଇ ଯାତ୍ରୀଙ୍କୁ କୌଣସି ସୂଚନା ଦେଇନାହିଁ।

ଶୁକ୍ରବାର ଟ୍ରେନରେ ଥିବା ଜଣେ ଯାତ୍ରୀ ଟ୍ୱିଟ କରି କହିଥିଲେ ଯେ “ମେ’ ୨୧ରେ ଆମେ ଗୋରଖପୁର ଯିବା ପାଇଁ ଟ୍ରେନରେ ବସିଥିଲୁ। ତେବେ ଦୀର୍ଘ ୨୩ ଘଣ୍ଟା ପରେ ବି ଆମେ ସେହି ମହାରାଷ୍ଟ୍ରରେ ରହିଛୁ। ଆମ ପାଖରେ ଖାଇବାକୁ କିଛି ନାହିଁ କିମ୍ବା ଟ୍ରେନରେ ପାଣି ମଧ୍ୟ ନାହିଁ। ଭୁସୱାଲ ଠାରୁ ଟ୍ରେନ କାହିଁକି ନାଗପୁର ଯାଉଛି।”

ଆଉ ଜଣେ ଯାତ୍ରୀ କହିଛନ୍ତି, ବର୍ତ୍ତମାନ ଟ୍ରେନ ଓଡ଼ିଶାରେ ପହଞ୍ଚିଛି ଓ ଡ୍ରାଇଭର ବାଟ ହୁଡ଼ି ଯାଇଛନ୍ତି।