କଏନ୍‌ ବନାଇବା ବନ୍ଦ କଲେ ସରକାର: ଜାଣନ୍ତୁ କ’ଣ ହେବ ଏବେ ?

ନୂଆଦିଲ୍ଲୀ: ଆଜିକାଲି ବଜାରରେ କଏନ୍‌କୁ ନେଇ ଲୋକଙ୍କୁ ନାକେଦମ୍‌ ହେବାକୁ ପଡୁଛି। ୧୦ ଟଙ୍କିଆ ନକଲି ବୋଲି ହାଲ୍ଲା ହେବା ପରେ ଦୋକାନୀ ନେଉନାହାଁନ୍ତି। ଛୋଟ ଟଙ୍କିକିଆ କଏନ୍‌ ନେବାକୁ ମଧ୍ୟ ଦୋକାନୀମାନେ ମଙ୍ଗୁ ନାହାଁନ୍ତି। ଏପରିକି ଭିକାରୀ ମଧ୍ୟ ଛୋଟ ଟଙ୍କିଆ କଏନ୍‌ ନେବାକୁ ଅମଙ୍ଗ। ଏପରି ସ୍ଥିତିରେ ସରକାର ଏକ, ଦୁଇ ଓ ପାଞ୍ଚ ଟଙ୍କିଆ କଏନ୍‌ ବନାଇବା ବନ୍ଦ କରିଦେଇଛନ୍ତି। ଯାହାକୁ ନେଇ ନାନା କଥା ଶୁଣିବାକୁ ମିଳୁଛି।

ଭାରତ ସରକାରଙ୍କ ୪ଟି ଟଙ୍କାଶାଳରେ କଏନ୍‌ ତିଆରି ହୋଇଥାଏ। ଏହି ସବୁ ଟଙ୍କାଶାଳ ନୋଏଡା, ମୁମ୍ବାଇ, କୋଲକାତା ଓ ହାଇଦ୍ରାବାଦ୍‌ରେ ରହିଛି। ତେବେ ଏହି ଟଙ୍କାଶାଳକୁ ପରିଚାଳନା କରୁଥିବା ଭାରତ ସରକାରଙ୍କ ସିକ୍ୟୁରିଟି ପ୍ରିଣ୍ଟିଂ ଓ ମିନିଂ କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ ନୂଆ ଟଙ୍କା ବନାଇବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ମିଡିଆ ରିପୋର୍ଟ ଅନୁସାରେ ଗତ ୮ ତାରିଖରୁ ଟଙ୍କିକିଆ, ଦୁଇ ଟଙ୍କିଆ ଓ ପାଞ୍ଚ ଟଙ୍କିଆ କଏନ୍‌ ପ୍ରଡକ୍‌ସନ ବନ୍ଦ କରିଦିଆଯାଇଛି।

କାହିଁକି ବନ୍ଦ ହୋଇଛି ନିର୍ମାଣ

ଏହି ଟଙ୍କା ବନାଯିବା ବନ୍ଦ ହେବାକୁ ନେଇ ବେଶି କିଛି ଚିନ୍ତା କରନ୍ତୁ ନାହିଁ। ଏହି ଟଙ୍କା ଏବେ ବି ବଜାରରେ ଚଳୁଛି ଓ ଆଗକୁ ମଧ୍ୟ ଚଳିବ। ଏହାର ପ୍ରଡକସନ୍‌ ବନ୍ଦ କରାଯିବା ପଛରେ ରହିଛି ଅନ୍ୟ କାରଣ। ପ୍ରକୃତ କଥା ହେଲା ଆରବିଆଇ କଏନ୍‌ ନେଉନାହିଁ। ଏଥିପାଇଁ ବନାଯାଉଥିବା କଏନ୍‌ ରଖିବାକୁ ଷ୍ଟୋର ରୁମ୍‌ କମ ପଡୁଛି। ସେହି କାରଣରୁ ଏହି ତିନି ପ୍ରକାର ଟଙ୍କା କିଛିଦିନ ନ ବନାଇବାକୁ ସରକାର ସ୍ଥିର କରିଛନ୍ତି।

ଏହାର ପ୍ରଭାବ ବଜାର ଉପରେ ପଡ଼ିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି।