ବାମ ହାତ ଭାଙ୍ଗିଥିଲା, ଡାକ୍ତର ଡାହାଣ ହାତ ପ୍ଲାଷ୍ଟର କରିଦେଲେ

ପାଟନା: ଗୋଟିଏ ପଟେ ଆକ୍ୟୁଟ ଏନସେଫାଲାଇଟିସ ସିଣ୍ଡ୍ରୋମ୍(ଏଇଏସ)ରେ ଉଚିତ ଚିକିତ୍ସା ଯୋଗାଇ ନ ଦେଇ ପାରିବାରୁ ସମାଲୋଚନାର ଶିକାର ହୋଇଛି ବିହାର ସରକାର। ଏବେ ପୁଣି ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ବିହାର ସ୍ଥିତ ଦରଭଙ୍ଗା ମେଡିକାଲ କଲେଜ ଓ ହସ୍ପିଟାଲକୁ ଫୋଜାନ ନାମକ ଏକ ଛୋଟ ଛୁଆର ବାମ ହାତ ଭାଙ୍ଗିଥିବା ସନ୍ଦେହ କରି ଚିକିତ୍ସା ପାଇଁ ଯାଇଥିଲେ। ହେଲେ ଡାକ୍ତର ଡାହାଣ ହାତରେ ପ୍ଲାଷ୍ଟର କରିଥିବା ରୋଗୀର ମାଆ କହିଛନ୍ତି। ଏମିତିକି ଭଲ ହେବା ପାଇଁ ଔଷଧ ମଧ୍ୟ ଡାକ୍ତର ଦେଇନଥିବା ଆଜି ଗଣମାଧ୍ୟମ ଆଗରେ ସେ କହିଛନ୍ତି।
ଦରଭଙ୍ଗା ମେଡିକାଲ କଲେଜ ଏବଂ ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ଡାକ୍ତର ରଞ୍ଜନ ପ୍ରସାଦ କହିଛନ୍ତି ଏହି ଘଟଣାରେ ସ୍ୱାସ୍ଥ୍ୟମନ୍ତ୍ରୀ ରିପୋର୍ଟ ମାଗିଛନ୍ତି। ଡାକ୍ତରଙ୍କ ଏପରି କାର୍ଯ୍ୟକୁ ସେ ନିନ୍ଦା କରୁଛନ୍ତି। ରୋଗୀର ଚିକିତ୍ସା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ଡାକ୍ତରୀ ଟିମ୍ ଦ୍ୱାରା ତଦନ୍ତ ହେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡାକ୍ତର ରଞ୍ଜନ ପ୍ରସାଦ କହିଛନ୍ତି।
ନିକଟରେ ଜୁନ ୨୦ ତାରିଖରେ ଏକ ଖବର ଆସିଥିଲା ଯେ ମଧ୍ୟପ୍ରଦେଶର ଜଣେ ଡାକ୍ତର ଜଣେ ଜୀବିତ ରୋଗୀଙ୍କୁ ମୃତ ବୋଲି ଘୋଷଣା କରି ଦେଇଥିଲେ। ଶବ ବ୍ୟବଚ୍ଛେଦ ପାଇଁ ନେବା ବେଳେ ରୋଗୀ ଜଣଙ୍କ କିନ୍ତୁ ଉଠି ପଡ଼ିଥିଲେ।