ସରକାର ବାଣ୍ଟିବେ ସାନିଟାରି ପ୍ୟାଡ୍

ମୁମ୍ବାଇ: ମହାରାଷ୍ଟ୍ର ସରକାରଙ୍କ ଉପରେ ପଡ଼ିଛି ପ୍ୟାଡ୍‌ମ୍ୟାନ୍ ଇଫେକ୍ଟ। ଏହି ଫିଲ୍ମରୁ ଅନୁପ୍ରାଣିତ ହୋଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା। ଯାହାର ନାଁ ରହିଛି , ‘ଅସ୍ମିତା ଯୋଜନା’। ଏହି ଯୋଜନା ଅନୁଯାୟୀ ମହାରାଷ୍ଟ୍ର ସରକାର ରାଜ୍ୟରେ ଛାତ୍ରୀମାନଙ୍କୁ ଓ ଗ୍ରାମାଞ୍ଚଳର ମହିଳାମାନଙ୍କୁ କମ୍ ଦାମରେ ସାନିଟାରି ନାପ୍‌କିନ୍‌ ଉପଲବ୍ଧ କରାଇବେ। ଶସ୍ତାରେ ସାନିଟାରି ନାପକିନ୍ ଉପଲବ୍ଧ କରାଇବାର ଏହି ଯୋଜନା ଆସନ୍ତା ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସରୁ ଆରମ୍ଭ ହେବ।

ଯୋଜନା ଅନୁଯାୟୀ ଜିଲ୍ଲାପରିଷଦର ସ୍କୁଲ ଛାତ୍ରୀମାନଙ୍କୁ ମାତ୍ର ୫ଟଙ୍କାରେ ଏକ ପ୍ୟାକେଟ୍ ସାନିଟାରି ନାପକିନ୍ ମିଳିବାକୁ ଥିବାବେଳେ ଗ୍ରାମାଞ୍ଚଳର ମହିଳାମାନଙ୍କୁ ୨୪ ଓ ୨୯ ଟଙ୍କାରେ ଏହା ଉପଲବ୍ଧ ହେବ।

ଏହି ଯୋଜନାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଓ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଲଞ୍ଚ୍ କରିବେ। ନିକଟରେ ଅକ୍ଷୟଙ୍କର ଗ୍ରାମାଞ୍ଚଳରେ ମହିଳାମାନଙ୍କ ମାସିକଧର୍ମ ସମୟରେ ସ୍ୱଚ୍ଛତା ରକ୍ଷା ଉପରେ ଆଧାରିତ ଫିଲ୍ମ ‘ପ୍ୟାଡ୍‌ମ୍ୟାନ୍’ ରିଲିଜ୍ ହୋଇଥିଲା। ତେବେ ସରକାର ମହାରଷ୍ଟ୍ରର ଗ୍ରାମାଞ୍ଚଳରେ ରହୁଥିବା ମହିଳା ଓ ଛାତ୍ରୀମାନଙ୍କ ମଧ୍ୟରେ ଏହି ସମୟରେ ସ୍ୱଚ୍ଛତା ରକ୍ଷା କରିବା ନିମନ୍ତେ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ଯୋଜନା ପ୍ରସ୍ତୁତ କରିଛନ୍ତି।

ଜନୈକ ଅଧିକାରୀ କହିଛନ୍ତି ଯେ, ମହିଳାମାନଙ୍କୁ ସାନିଟାରୀ ନାପକିନ୍‌ ପାଇଁ ଅନେକ ସମସ୍ୟାର ସାମ୍ନା ହେବାକୁ ପଡ଼ୁଛି। । ଯେପରିକି ଗ୍ରାମାଞ୍ଚଳରେ ଏଗୁଡ଼ିକ ଉପଲବ୍ଧ ହୋଇ ନ ପାରୁଥିବା, ଅଧିକ ଦାମ୍ ହେତୁ କିଣି ନ ପାରିବା, ପୁରୁଷ ଦୋକାନୀକୁ ନ ମାଗିପାରିବା ଇତ୍ୟାଦି। ସେ କହିଛନ୍ତି ଯେ ଏହି ଯୋଜନା ପରେ ମହିଳାମାନଙ୍କର ସାନିଟାରି ନାପକିନ୍‌ ସହ ଜଡ଼ିତ ଅନେକ ସମସ୍ୟା ଦୂର ହୋଇଯିବ। ଗତବର୍ଷ ‘ଅସ୍ମିତା ଯୋଜନା’ର ଘୋଷଣା ମହିଳା ଏବଂ ବାଲ୍ୟ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ପଙ୍କଜା ମୁଣ୍ଡେ କରିଥିଲେ।