ପ୍ୟାଡ୍‌ ଉପରେ ଜିଏସ୍‌ଟି, ପ୍ୟାଡ୍‌ମ୍ୟାନ୍‌କୁ ରିହାତି

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଆସନ୍ତା ୯ ତାରିଖରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ପ୍ୟାଡ୍‌ମ୍ୟାନ୍‌’। ମହିଳାମାନଙ୍କ ଋତୁଶ୍ରାବ ସମୟରେ ସାନିଟାରୀ ପ୍ୟାଡ୍‌ ବ୍ୟବହାର ଉପରେ ପର୍ଯ୍ୟବେଶିତ ଏହି ଚଳଚ୍ଚିତ୍ରଟି ସରକାରୀ ରିହାତି ପାଇବାକୁ ଯାଉଛି । ଏଣେ ବଜାରରେ ମିଳୁଥିବା ସାନିଟାରୀ ପ୍ୟାଡ୍‌ ଉପରେ ସରକାର ୧୨ ପ୍ରତିଶତ ଜିଏସ୍‌ଟି ଲଗାଇଥିବାରୁ ଏହାକୁ ବ୍ୟବହାର କରିବାକୁ ଚାହୁଁଥିବା ମହିଳା ଏହି ଦାମୀ ନାପ୍‌କିନ୍‌ କିଣି ପାରୁ ନାହାନ୍ତି। ଏଣୁ ଏହାର ବ୍ୟବହାରକୁ ଫୋକସ୍‌ କରି ନିର୍ମିତ “ପ୍ୟାଡ୍‌ମ୍ୟାନ୍‌” ଚଳଚ୍ଚିତ୍ରକୁ ରିହାତି ଦେବା ଏକ ହାସ୍ୟାସ୍ପଦ ପ୍ରସଙ୍ଗ ବୋଲି କଥା ଉଠୁଛି।

ସାନିଟାରି ନାପକିନର ମୂଲ୍ୟ ଅଧିକ ହୋଇଥିବାରୁ ପ୍ରାୟ ୭୦ ପ୍ରତିଶତ ମହିଳା ଏହି ନାପକିନ୍ କିଣିପାରୁ ନାହାଁନ୍ତି। ଯାହା ଫଳରେ ସେମାନେ କପଡ଼ା ଓ ଖବର କାଗଜ ବ୍ୟବହାର କରୁଛନ୍ତି। ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଆଦୌ ନିରାପଦ ନୁହେଁ। ଏଥିଯୋଗୁ ଅନେକ ମହିଳା କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ହେଉଛନ୍ତି। କେବଳ ଏତିକି ନୁହେଁ, ଇନଫେକ୍ସନ୍ ଯୋଗୁଁ ଅନେକ ମହିଳା ମାଆ ହେବାର କ୍ଷମତା ମଧ୍ୟ ହରାଇ ବସୁଛନ୍ତି। ତା ହେଲେ, ସାନିଟାରି ନାପକିନ୍‌ ଉପରୁ ଟ୍ୟାକ୍ସ ହଟାଇବାକୁ ଏହି କାରଣ କ’ଣ ସରକାରଙ୍କ ପାଇଁ ଯଥେଷ୍ଟ ନୁହେଁ କି ବୋଲି ପ୍ରଶ୍ନ ଉଠିଛି।

ସାନିଟାରି ନାପକିନ୍‌ ଉପରେ ଜିଏସ୍‌ଟି ଲାଗୁ ହେବା ପରେ ଏହାର ପ୍ରତିବାଦରେ ହଜାର ହଜାର ମହିଳା ରାଜରାସ୍ତାକୁ ଓହ୍ଲାଇଥିଲେ। ମହିଳାମାନେ ପ୍ରତିବାଦର ସ୍ୱର ଉଠାଇ କହିଥିଲେ ଯେ, ମାସିକ ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ତେଣୁ ସାନିଟାରି ନାପକିନ୍ ବ୍ୟବହାର କରିବା ଇଚ୍ଛାଧୀନ ନୁହେଁ ବାଧ୍ୟତାମୂଳକ। ସେଥିପାଇଁ ଏହାକୁ ସରକାର କରଛାଡ଼ କରନ୍ତୁ ବୋଲି ଦାବି ହୋଇଥିଲା। କିନ୍ତୁ ଏହା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ।

ପ୍ୟାଡ୍ ମ୍ୟାନ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅକ୍ଷୟ କୁମାରଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ କହିଥିଲେ, “ଯେ  ଆଜି ବି ଅନେକ ମହିଳା ତାଙ୍କ ମାସିକ ଋତୁସ୍ରାବକୁ ନେଇ ସଚେତନ ନାହାଁନ୍ତି। ତେଣୁ ଏହି ଫିଲ୍ମ ମାଧ୍ୟମରେ ସେମାନଙ୍କୁ ସଚେତନ କରାଇବା ଆମର ଲକ୍ଷ। ତେଣୁ ସରକାର ମଧ୍ୟ ଦେଶର ମହିଳାଙ୍କୁ ସଚେତନ କରିବାକୁ ଚାହୁଁଛନ୍ତି । ତେଣୁ  ଫିଲ୍ମଟିକୁ କରଛାଡ୍‌ କରିବାକୁ ଯୋଜନା କରୁଛନ୍ତି।”

ଏହାସହ ଫିଲ୍ମ ରିଲିଜ୍ ପରେ, ଏହି ସାମଗ୍ରୀରୁ ମଧ୍ୟ ସରକାର ୧୨ ପ୍ରତିଶତ ଜିଏସ୍‌ଟି ହଟାଇବେ ବୋଲି ଆଶାବାଦୀ ରହିଥିବା କହିଛିନ୍ତି ଅକ୍ଷୟ।