ରାହୁଲଙ୍କ ବିଦ୍ରୁପ: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଗଣିବାକୁ ଗଣିତ ଶିକ୍ଷକ ଖୋଜୁଛନ୍ତି ସରକାର

ବିମୁଦ୍ରାକରଣ ପରେ ପୁରୁଣା ଟଙ୍କା ଗଣିବା ପାଇଁ ସରକାର ଗଣିତ ଶିକ୍ଷକ ଖୋଜୁଛନ୍ତି। ଏଥିପାଇଁ ଆଶାୟୀ ଶିକ୍ଷକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ। ଟ୍ୱିଟ୍‌ରେ ଏଭଳି ପୋଷ୍ଟ କରି ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ଏଭଳି ଆକ୍ଷେପ କରି ସରକାରଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିଛନ୍ତି ରାହୁଲ।

ବିମୁଦ୍ରାକରଣ ପରେ ରିର୍ଜଭ ବ୍ୟାଙ୍କରେ କେତେ ଟଙ୍କା ଜମା ହୋଇଛି ସେ ନେଇ କେନ୍ଦ୍ର ସରକାର ମୁହଁ ଖୋଲି ନାହାନ୍ତି। ବୁଧବାର ରିର୍ଜଭ ବ୍ୟାଙ୍କ ଗଭର୍ଣ୍ଣର ଉରଜିତ୍ ପଟେଲଙ୍କୁ ସଂସଦୀୟ ଅର୍ଥ କମିଟିର ସଦସ୍ୟ ବିମୁଦ୍ରାକରଣ ପରେ କେତେ ଟଙ୍କା ବ୍ୟାଙ୍କରେ ଜମା ହୋଇଛି ସେ ନେଇ ପ୍ରଶ୍ନ କରିଥିଲେ। ଉତ୍ତରରେ ଉରଜିତ୍ କହିଥିଲେ ଯେ, ନୋଟବନ୍ଦୀ ବେଳେ ଭାରତରେ ୧.୭୭ ଲକ୍ଷ କୋଟି ଟଙ୍କା ବଜାରରେ ଥିଲା। ତେବେ କେତେ ପୁରୁଣା ଟଙ୍କା ରିର୍ଜଭ ବ୍ୟାଙ୍କକୁ ଆସିଛି ସେ ନେଇ କମିଟି ଆଗରେ ସଠିକ୍ ତଥ୍ୟ ଦେଇ ପାରି ନଥିଲେ ଉରଜିତ୍।

ସଂସଦୀୟ ଅର୍ଥ କମିଟିର ପ୍ରଶ୍ନରେ ଉରଜିତ୍ କହିଛନ୍ତି, ଏବେ ବି ଦେଶ ବାହାରୁ ପୁରୁଣା ଟଙ୍କା ଆସିବାରେ ଲାଗିଛି। ବିଶେଷ କରି ନେପାଳ ଓ ଭୂଟାନରୁ ଏବେ ବି ପୁରୁଣା ନୋଟ୍ ଆସୁଛି। ତେଣୁ ସଠିକ୍ ତଥ୍ୟ ଆସିପାରିନାହିଁ। ଏପରିକି କର୍ମଚାରୀ ମାନେ ଦିନରାତି ପୁରୁଣା ଟଙ୍କା ଗଣିବା କାର୍ଯ୍ୟରେ ଲାଗିଛନ୍ତି।