ଆତ୍ମହତ୍ୟା କରୁଥିବା ଚାଷୀଙ୍କ ପାଇଁ ସରକାର କ’ଣ ବିଚାର କରୁଛନ୍ତି, ପଢନ୍ତୁ ପୁରା ରିପୋର୍ଟ

ଭୁବନେଶ୍ୱର: ଆତ୍ମହତ୍ୟା କରୁଥିବା ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ସରକାର ଗଠନ କରିବେ ଫାର୍ମର ୱେଲଫେୟାର  ଫଣ୍ଡ  ସରକାରୀ ସ୍ତରରେ ଏଭଳି ପ୍ରସ୍ତାବ ଆସିଥିବା ବେଳେ ଏହାକୁ କ୍ୟାବିନେଟର ମୋହର ଲାଗିବା ବାକି ଅଛି । ବଡ କଥା ହେଉଛି କେବେ ବି ଚାଷୀ ଆତ୍ମହତ୍ୟାକୁ ସ୍ୱିକାର କରୁ ନ ଥିବା ସରକାର ପ୍ରଥମ ଥର ପାଇଁ ହୃଦୟଙ୍ଗମ କରିଛନ୍ତି।  ଉଭୟ ସରକାରୀ ଓ ହାତଉଧାରୀ ଘରୋଇ ଋଣଭାର ଯୋଗୁଁ  ଭାଗଚାଷୀ ଅନେକ ସମୟରେ ଆତ୍ମହତ୍ୟା କରୁଛନ୍ତି।

ବୃନ୍ଦା ସାହୁ, ହାଡୁ ବଗର୍ତ୍ତି, ଅକ୍ଷୟ ଦେହୁରୀ ଆତ୍ମହତ୍ୟା କରିଥିବା ଏମିତି ଅନେକ ଚାଷୀଙ୍କ ନାଁ ସରକାରଙ୍କ ଡାଏରୀରୁ ହଜିଗଲାଣି।  ଏମାନଙ୍କ ଆତ୍ମହତ୍ୟାକୁ ନେଇ  ବେଶ କିଛି ଦିନ ଧରି ବିତର୍କ ହେଲା । ବିଧାନସଭାରେ କଥା ଉଠିଲା ସରକାର ତଦନ୍ତ କଲେ।  କିନ୍ତୁ ମାନିଲେ ନାହିଁ ଯେ ଏମାନେ ଫସଲ ହାନି କିମ୍ବା ଋଣ ଭାର ଯୋଗୁଁ ଆତ୍ମହତ୍ୟା କରିଛନ୍ତି।  ଏବେ କିନ୍ତୁ ସରକାର ଚେତିଛନ୍ତି । ଏକପ୍ରକାର ମାନିଛନ୍ତିଯେ ଋଣଭାର ଯୋଗୁଁ ଅନେକ ଚାଷୀ ଆତ୍ମହତ୍ୟା କରିଛନ୍ତି।    ଏବେ ମୁଖ୍ୟ ଶାସନ ସଚବିଙ୍କ ଅଧ୍ୟକ୍ଷତାରେ କିଛି ଦିନ ତଳେ ବୈଠକ ବସିଥିଲା।

ଏହି ବୈଠକରେ ନିଷ୍ପତ୍ତି ଅନୁସାରେ  ଅଦିନରେ ଜୀବନ ହାରୁ ଥିବା ଚାଷୀ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସରକାର, ଫାର୍ମର ୱେଲଫେୟାର ଫଣ୍ଡ ଗଠନ  କରିବେ।  ଏଥିପାଇଁ ଚାଷଜମିର କିସମ ପରିବର୍ତ୍ତନ  ବେଳେ ସେସ୍ ଆଦାୟ କରି ଏହି ଟଙ୍କାକୁ ଫାର୍ମର ୱେଲଫେୟାର ଫଣ୍ଡରେ ରଖିବେ।  ଫସଲ ହାନୀ କିମ୍ବା ଋଣ ଭାର ଯୋଗୁଁ ଚାଷୀ ଆତ୍ମହତ୍ୟା କଲେ ସେମାନଙ୍କ ପରିବାରକୁ ଏଥିରୁ କ୍ଷତିପୂରଣ ଦେବେ। ଏପଟେ ଚାଷୀ ଆତ୍ମହତ୍ୟା କଥାକୁ ସରକାର ଖୋଲାଖୋଲି  ଅସ୍ୱୀକାର କରିବା ସହ  ବଜାର, ବୀମା ଓ ଭିତ୍ତିଭୂମି ସମସ୍ୟା ନ ସୁଧାରି  କେବଳ ଫଣ୍ଡ ଗଠନ କଲେ କିଛି ଲାଭ ହେବନି ବୋଲି କହିଛନ୍ତି ଚାଷୀ ନେତା ।  ସେପଟେ ବିଜେପି  ସରକାରଙ୍କ ପ୍ରସ୍ତାବକୁ ସ୍ୱାଗତ କରିଥିବା ବେଳେ ଭାଗଚାଷୀଙ୍କୁ ତୁରନ୍ତ ଆଇନଗତ ମାନ୍ୟତା ଦେବାକୁ ଦାବି କରିଛି ।