ଜୁଇରେ ଜଳିଗଲେ ଜୀବନ୍ତ ଯୁବତୀ; କେଉଁଠି, କେମିତି?  

ନୂଆଦିଲ୍ଲୀ: ନାଁ-ରଚନା। ବୟସ-୨୧। ବାହା ହୋଇଥିଲେ। ଅସୁସ୍ଥ ହେବାରୁ ଭର୍ତ୍ତି ହୋଇଥିଲେ ଗ୍ରେଟର ନୋଏଡାର ସାରଦା ହସ୍‌ପିଟାଲ୍‌ରେ। ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ବୁଧବାର ବିଳମ୍ବିତ ରାତିରେ ଘୋଷଣା କଲେ ଚିକିତ୍ସା କରୁଥିବା ଡାକ୍ତର। ରାତି ୧.୨୭ରେ ତାଙ୍କ ମୃତଦେହ ପାଇଥିଲେ ସ୍ୱାମୀ ଦେବେଶ ଚୌଧୁରୀ। ଭାଇବନ୍ଧୁଙ୍କ ସହ ଗୁରୁବାର ସକାଳ ୮ଟାରେ ଆଲିଗଡ଼ରେ ରଚନାଙ୍କ ଶବସତ୍କାର ଆରମ୍ଭ କରିଥିଲେ ଦେବେଶ। ଶବଦାହ ବେଳେ ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତିଙ୍କୁ ଲାଗିଲା ରଚନା ଜୀବିତ ଅଛନ୍ତି। ତେଣୁ ସେ ତୁରନ୍ତ ତାଙ୍କୁ ଜୁଇରୁ ଟାଣି ଆଣିଲେ। କିନ୍ତୁ ପରେ ତାଙ୍କ ଶରୀରେ ଜୀବନ ଥିବା ନେଇ କୌଣସି ସଂକେତ ମିଳିଲା ନାହିଁ। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କୁ ଅଧିକ ମର୍ମାହତ କରି ଦେଇଥିଲା। ଶବବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଥିଲା ଶବଦାହ ବେଳେ ଜୀବିତ ଥିଲେ ରଚନା।

ଶବବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କ ଯୁକ୍ତି କରିଛନ୍ତି ଯେ କିଛି ପୋଡ଼ା ଜିନିଷ ରଚନାଙ୍କ ଶ୍ୱାସନଳୀ ଓ ଫୁସ୍‌ଫୁସ୍‌ରୁ ମିଳିଛି। ଯଦି ଦାହ ବେଳେ ଯୁବତୀ ଜଣଙ୍କ ଜୀବିତ ନ ଥିଲେ, ତା’ହେଲେ ଏ ପୋଡ଼ା ଜିନିଷ ତାଙ୍କ ଶ୍ୱାସନଳୀ ଓ ଫୁସ୍‌ଫୁସ୍‌କୁ ଯିବାର ପ୍ରଶ୍ନ ଉଠୁନି।